ଭବାନୀପାଟଣା:ପୁଣି ଖଟିଆରେ ବୁହା ହେଲେ ରୋଗୀ (patient carried in cot)। ଗ୍ରାମକୁ ପକ୍କା ରାସ୍ତାଟିଏ ନଥିବାରୁ ରୋଗୀଙ୍କୁ ଖଟିଆରେ ୩ କିଲୋମିଟର ବୋହିଲେ ପରିବାର ଲୋକେ । କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଗଡ଼ ବ୍ଲକ ଅନ୍ତର୍ଗତ ତଇଁପଦର ଗ୍ରାମରେ ବ୍ୟବସ୍ଥାର ଏଭଳି ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ହେଲେ ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଇଚ୍ଛାଶକ୍ତି ଅଭାବ ଯୋଗୁଁ ଆଜିବି ପକ୍କା ରାସ୍ତାଟିଏ ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି ଉପାନ୍ତ ଅଞ୍ଚଳବାସୀ ।
ସୂଚନା ଅନୁଯାୟୀ ତଇଁପଦର ଗ୍ରାମର ମଣ୍ଟୁ ମାଝୀଙ୍କୁ କିଛି ଦିନ ଧରି ଜ୍ଵର ହେବାରୁ ପରିବାର ଲୋକେ ମେଡ଼ିକାଲ ନେବାକୁ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ । ହେଲେ ଗ୍ରାମକୁ ରାସ୍ତା କିମ୍ବା ପୋଲ ନଥିବା ଯୋଗୁଁ ଆମ୍ବୁଲାନ୍ସ ଆସିପାରିଲା ନାହିଁ । ଶେଷରେ ପରିବାର ଏବଂ ଗ୍ରାମବାସୀ ରୋଗୀଙ୍କୁ ଭାରରେ ବୋହି ୩ କିଲୋମିଟର ନାଳ ଓ ଜଙ୍ଗଲ ରାସ୍ତା ପାରି ହେବାପରେ ଆମ୍ବୁଲାନ୍ସ ଯୋଗେ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।