ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଶିକ୍ଷକମାନଙ୍କ ଦରମା ଓ ଅନ୍ୟାନ୍ୟ ବାବଦ ଲକ୍ଷାଧିକ ଟଙ୍କା ଆତ୍ମସାତ ଘଟଣାର ମୁଖ୍ୟ ଅଭିଯୁକ୍ତ ଆକାଉଣ୍ଟାଣ୍ଟ ସୁଚିସ୍ମିତା ସୁଆରଙ୍କୁ ଗୁରୁବାର(ଗତକାଲି) ଠାରୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କଳାହାଣ୍ଡି ଭିଜିଲାନ୍ସ ବିଭାଗ । ରିମାଣ୍ଡରେ ପ୍ରଥମ ଦିନରେ ଅଭିଯୁକ୍ତକୁ ଦିନ ତମାମ୍ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଟକ ରଖି ତଦନ୍ତ କରାଯିବା ସହ ବିଭିନ୍ନ ଦିଗକୁ ନେଇ ଜେରା କରାଯାଇଛି । ଅନେକ ବଡ଼ ବଡ଼ ଅଧିକାରୀ ସୁଚିସ୍ମିତାଙ୍କ ଏହି ଅର୍ଥ ଆତ୍ମସାତ ମାମଲାରେ ଜଡିତ ଥିବା ସନ୍ଦେହ କରାଯାଉଥିବା ବେଳେ ଅଭିଯୁକ୍ତ ଅଧିକାରୀମାନଙ୍କ ଏକ ଲମ୍ବା ତାଲିକା ଭିଜିଲାନ୍ସକୁ ଦେଇଛି ।
ଗତକାଲି ଦିନ ସାରା ସୁଚିସ୍ମିତାଙ୍କୁ ଜେରା କରିବା ପରେ ଅପରାହ୍ନରେ ତାଙ୍କର ଭବାନୀପାଟଣା ଇରିଗେଶନ କଲୋନୀ ୧୫ ନଂ ଲେନରେ ଥିବା ୪ ମହଲା କୋଠା ଘରେ ଯାଞ୍ଚ କରାଯାଇଥିଲା । ପୂର୍ବରୁ ଭିଜିଲାନ୍ସ ବିଭାଗ ଉକ୍ତ କୋଠାକୁ ସିଲ୍ କରିଥିଲା । ଭିଜିଲାନ୍ସ ବିଭାଗ ଡ଼ିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ଏକ ଟିମ୍ ଅଭିଯୁକ୍ତର ମାଆଙ୍କ ଉପସ୍ଥିତିରେ ସିଲ୍ ଖୋଲି ଘର ଭିତରେ ଛାନଭିନ୍ କରିଥିଲା । କିନ୍ତୁ ଭିଜିଲାନ୍ସ ଟିମ୍ ପଶିବା ପୂର୍ବରୁ ଘର ଭିତରେ କେହି ବିଭିନ୍ନ ସାମଗ୍ରୀ ଫିଙ୍ଗା ଫୋପଡା କରିଥିବା ଦେଖିବାକୁ ମିଳିଥିଲା ।
ତେବେ ଘରର ଆଲମିରାରୁ ସୁଚିସ୍ମିତା ଓ ତାଙ୍କ ମାଆଙ୍କ ନାମରେ ଥିବା ବ୍ୟାଙ୍କ ଜମାଖାତା ଏବଂ ଖଟ ତଳୁ କ୍ୟାସବୁକ, ଚେକ ବୁକ୍ ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସ ବିଭାଗ ହାତରେ ଲାଗିଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ଭିଜିଲାନ୍ସ ଡ଼ିଏସପି ସଦାନ୍ଦନ ପାଣିଙ୍କୁ ପଚରାଯିବାରୁ ସେ କହିଛନ୍ତି, ଅଭିଯୁକ୍ତକୁ ଦୁଇ ଦିନିଆ ରିମାଣ୍ଡରେ ଅଣାଯାଇଛି । ତାଙ୍କ ନାଁରେ ବିଇଓ କାର୍ଯ୍ୟାଳୟର ୨ କୋଟି ୫୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗର ତଦନ୍ତ ଜାରି ରହିଛି ।