ଓଡିଶା

odisha

By

Published : Jan 23, 2023, 3:08 PM IST

ETV Bharat / state

ଉପାନ୍ତ ଅଞ୍ଚଳରେ ହାତୀ ଉପଦ୍ରବ, ନିରବଦ୍ରଷ୍ଟା ବନ ବିଭାଗ !

କଳାହାଣ୍ଡି ଜିଲ୍ଲାରେ ଅସମ୍ଭାଳ ହାତୀ ଉପଦ୍ରବ । ହାତୀମାନେ ଜନବସତି ମୁହାଁ ହେଉଥିବାବେଳେ ବନ ବିଭାଗର ଅବହେଳାକୁ ଦାୟୀ କଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

elephant tussle
ହାତୀ ଆତଙ୍କ

କଳାହାଣ୍ଡିରେ ହାତୀ ଉପଦ୍ରବ

ଭବାନୀପାଟଣା: ଉପାନ୍ତ ଅଞ୍ଚଳରେ ବଢୁଛି ହାତୀଙ୍କ ଉପଦ୍ରବ । କେତେବେଳେ ଜନ ବସତି ମୁହାଁ ହୋଇ ଘର ଭାଙ୍ଗୁଛନ୍ତି ତ ପୁଣି କେତେବେଳେ ଚାଷ ନଷ୍ଟ କରୁଛନ୍ତି । ଯାହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି । ହାତୀଙ୍କ ଚଳପ୍ରଚଳ ଉପରେ ନଜର ରଖିବା ଓ ହାତୀଙ୍କୁ ଘଉଡ଼ାଇବା ସହ ଗ୍ରାମବାସୀଙ୍କୁ ହାତୀ କବଳରୁ ସୁରକ୍ଷା ଦେବା ପାଇଁ ଏଲିଫେଣ୍ଟ ସ୍କ୍ବାଡ୍‌କୁ ନିଯୁକ୍ତ କରାଯାଇଛି । ତଥାପି ହାତୀ-ମନୁଷ୍ୟ ଲଢେଇ ଥମିବାରେ ନାଁ ଧରୁନି । ଅନେକ ଧନଜୀବନ ନଷ୍ଟ ହେଉଥିବାବେଳେ ନିରବଦ୍ରଷ୍ଟା ସାଜିଛି ବନ ବିଭାଗ ।

କଳାହାଣ୍ଡି ଜିଲ୍ଲାରେ ପୁଣି ହାତୀଙ୍କ ଗର୍ଜନରେ ଭୟଭୀତ ହୋଇଛନ୍ତି ଗ୍ରାମବାସୀ । ଗାଁରେ ପସି ଫସଲ ନଷ୍ଟ କରିବା ସହ ଦୁଇଦିନ ଧରି ଗାଁ ମୁଣ୍ଡରେ ରହିଛନ୍ତି ହାତୀପଲ । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲାର ଉତ୍ତର ବନଖଣ୍ଡ ଅନ୍ତର୍ଗତ କେସିଙ୍ଗା ରେଞ୍ଜ୍‌ ରୁପ୍ରା କର୍ମେଗାଁକୁ ରବିବାର ସକାଳୁ ୨୧ ଟିକିଆ ହାତୀପଲ ପସି ଆସିବା ସହ ଗାଁରେ ଚାଷୀଙ୍କ ଧାନ, ବିରି, ମୁଗ ସହ ଅନେକ ଫସଲ ନଷ୍ଟ କରିଥିଲେ । ଏହାସହ ଗାଁ ମୁଣ୍ଡରେ ଥିବା ରେଙ୍ଗାଲି ପାହାଡ଼ ତଳେ ଦୁଇଦିନ ଧରି ରହିଛନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି । ଭୟରେ ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି ।

ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ହାତୀପଲଙ୍କୁ ଘଉଡାଇବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ୨୧ ଟିକିଆ ହାତୀପଲଙ୍କ ମଧ୍ୟରେ ୧୧ଟି ମାଈ ହାତୀ, ଗୋଟିଏ ଦନ୍ତା ହାତୀ ଓ ୩ଟି ଟସ୍କର ସମେତ ୬ଟି ହାତୀ ଶାବକ ରହିଥିବା ନେଇ ବନ ବିଭାଗ ସୂଚନା ଦେଇଛି । ହାତୀପଲ ନର୍ଲା ବାଗପୁର ଅଞ୍ଚଳରୁ ଆସି ରେଙ୍ଗାଲି ପାହାଡ଼ ତଳେ ରହିଛନ୍ତି । ଗତ ଦୁଇଦିନ ତଳେ ଜିଲ୍ଲାର ନର୍ଲା ରେଞ୍ଜ ଅନ୍ତର୍ଗତ ବାଗପୁର ଗାଁରେ ଏହି ହାତୀପଲ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ ।

ମହିଳାଙ୍କୁ ଦଳି ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେପଟେ ଜିଲ୍ଲାରେ ହାତୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ବନ ବିଭାଗ ଏକ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିବାର ଆବଶ୍ୟକ ରହିଛି । ନଚେତ ହାତୀ ଓ ମଣିଷଙ୍କ ଲଢେଇ ମଧ୍ୟରେ ଏମିତି ଅନେକ ଧନଜୀବନ ହାନୀ ହେବ ଏବଂ ବନ ବିଭାଗ କେବଳ କ୍ଷତିପୂରଣ ଆକଳନ କରୁଥିବ ବୋଲି ବୁଦ୍ଧିଜୀବୀ କଟାକ୍ଷ କରିଛନ୍ତି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details