ଭବାନୀପାଟଣା:ଉଦ୍ଧାର ହେଲା ଗଜରାଜ । ଦୀର୍ଘ ୭ ଘଣ୍ଟାର ଅପରେସନ ପରେ ଗଜରାଜ ଉଦ୍ଧାର ଶେଷରେ ସଫଳ ହୋଇଛି । ରବିବାର ବିଳମ୍ବିତ ରାତିରେ ନିର୍ମାଣଧୀନ ଏକ ପୋଖରୀରେ ଫସିଥିବା ଗଜରାଜକୁ ଉଦ୍ଧାର କରିଛି ବନବିଭାଗ (Elephant rescue from pond in Kalahandi) । ସୂଚନାନୁସାରେ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ ଅନ୍ତର୍ଗତ ଦାରକାପାଞ୍ଚ ଜଙ୍ଗଲରୁ ଏକ ୧୦ ଟିକିଆ ହାତୀ ପଲ ବିଳମ୍ବିତ ରାତିରେ ସ୍ଥାନୀୟ ଖର୍ଡିଆପଡା ଗାଁକୁ ପଶି ଆସିଥିଲେ ।
ହେଲେ ଏମାନଙ୍କ ମଧ୍ୟରୁ ଗୋଟିଏ ଗଜରାଜ ଗାଁ ଶେଷ ମୁଣ୍ଡରେ ଥିବା ନିର୍ମାଣଧୀନ ପୋଖରୀ ଗାତରେ ପଡି ଯାଇଥିଲା । ପୋଖରୀରେ ପାଣି ଥିବା ଯୋଗୁଁ ଗଜରାଜ ବାହାରକୁ ବାହାରି ପାରିନଥିଲା । ହାତୀଟିର ଗର୍ଜନ ଶୁଣି ଭୟରେ ଲୋକେ ରାତି ତମାମ ଘରେ ରହିଥିଲେ ।ଆଜି ସକାଳୁ ଗାଁ ଲୋକେ ପୋଖରୀକୁ ଯାଇ ଦେଖିଲା ବେଳକୁ ଦନ୍ତା ହାତୀ ପୋଖରୀରେ ପଡିଥିବା ଦେଖିବାକୁ ପାଇଥିଲେ । ପରେ ବନ ବିଭାଗକୁ ତୁରନ୍ତ ଜଣାଇଥିଲେ । ଖବରପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଜରାଜକୁ ଉଦ୍ଧାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲେ ।
ଗ୍ରାମବାସୀଙ୍କ ସହଯୋଗରେ ଦୀର୍ଘ ୭ଘଣ୍ଟାର ପରିଶ୍ରମ ପରେ ଗଜରାଜକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ବନ ବିଭାଗ । ଅନ୍ୟପକ୍ଷରେ ହାତୀ ପୋଖରୀରୁ ଉଦ୍ଧାର ହେବାପରେ ଆକ୍ରମଣ ସକାଶେ ବନବିଭାଗ କର୍ମଚାରୀଙ୍କ ସମେତ ଲୋକଙ୍କୁ ଗୋଡ଼ାଇବାରେ ଲାଗିଥିଲା । ଫଳରେ ପ୍ରାଣ ବିକଳରେ ବନ ବିଭାଗ କର୍ମଚାରୀ ଓ ଗ୍ରାମବାସୀ ଘଟଣାସ୍ଥଳରୁ ପଳାଇଯାଇଥିଲେ । ଏହି ୧୦ ଟିକିଆ ହାତୀ ପଲ ଖର୍ଡିଆପଡା ଗାଁରେ ଥିବା ଅନେକ ଫସଲ ନଷ୍ଟ କରି ଦେଇଛି । ଏକ ଏକର ଫସଲକୁ ଦଳି ଚକଟି ନଷ୍ଟ କରିଦେଇଛନ୍ତି ।