ଭବାନୀପାଟଣା:ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଆକ୍ସନ ମୋଡରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆଜି ରାଜ୍ୟର ୮ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଛି ଇଡି । କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଥିବା ଅର୍ଚ୍ଚନାଙ୍କ ପୈତୃକ ବାସଭବନରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଛି । ପୋଲିସ ଓ ସିଆରପିଏଫ ଫୋର୍ସ ଛାଉଣୀରେ ଏହି ଚଢ଼ାଉ ଜାରି ରହିଥିବା ବେଳେ ତଦନ୍ତ ସମୟରେ ଅନେକ ତଥ୍ୟ ସମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି ।
ସୂଚନା ଅନୁସାରେ, ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ସମ୍ପତ୍ତିର ବେନାମୀ ଆକଳନ କରୁଛି ଇଡି । ଏହିକ୍ରମରେ ଆଜି ଇଡି ଭୁବନେଶ୍ବର ସ୍ଥିତ ଅର୍ଚ୍ଚନାଙ୍କ ବାସଭବନ ସମେତ ରାଜ୍ୟର ୮ଟି ସ୍ଥାନରେ ଏକ କାଳୀନ ଚଢ଼ାଉ କରିଛି । ଇଡିର ୧୧ଜଣିଆ ଟିମ ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ବାଉଁଶବଣି ଗ୍ରାମରେ ଥିବା ଅର୍ଚ୍ଚନାଙ୍କ ଶାଶୁଘରେ ଚଢାଉ ଜାରି ରଖିଛି । ସେହିପରି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଠାରେ ଥିବା ଅର୍ଚ୍ଚନାଙ୍କ ପୈତୃକ ବାସଭବନରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ସ୍ୱତନ୍ତ୍ର ଟିମ ଚଢ଼ାଉ କରିଛି । ଚଢାଉ ସମୟରେ ଅର୍ଚ୍ଚନାଙ୍କ ମାଆଙ୍କୁ ପଚରାଉଚୁରା ଜାରି ରଖିଛି ଇଡି ।
କଳାହାଣ୍ଡିରୁ ଯାଇ ରାଜଧାନୀରେ ନିଜ କଳା ସାମ୍ରାଜ୍ୟର ବିସ୍ତାର କରିଥିଲା ଅର୍ଚ୍ଚନା । ନିଜର ନାଗ ଫାସରେ ବଡ଼ ବଡ଼ ନେତା, ମନ୍ତ୍ରୀ, ଅଫିସର ଓ ବ୍ୟବସାୟୀଙ୍କୁ ଫସାଇ କୋଟିପତି ହୋଇଥିଲା । ଶେଷରେ ନିଜ ନାଗ ଫାଶରେ ନିଜେ ଛନ୍ଦି ହୋଇ ଏବେ ଝାରପଡା ଜେଲରେ ରହିଛି ଲେଡି ବ୍ଲାକ ମେଲର । ଏଥିସହ ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ମଧ୍ୟ ଗିରଫ ହୋଇ ଜେଲରେ ରହିଛନ୍ତି ।