ଓଡିଶା

odisha

ETV Bharat / state

କଳାହାଣ୍ଡିରେ ଇକୋ ଟୁରିଜିମ ଉଦଘାଟିତ, ପର୍ଯ୍ୟଟକଙ୍କ ଜମୁଛି ଭିଡ଼ - କଳାହା

ପର୍ଯ୍ୟଟନ କ୍ଷେତ୍ର କଳାହାଣ୍ଡିରେ ପର୍ଯ୍ୟଟକଙ୍କ ପାଇଁ ଉଦଘାଟିତ ହୋଇଛି ଇକୋ ଟୁରିଜିମ ସେଣ୍ଟର। ଅଧିକ ପଢନ୍ତୁ

eco tourism centre
eco tourism centre

By

Published : Jan 23, 2023, 12:39 PM IST

କଳାହାଣ୍ଡିରେ ଇକୋ ଟୁରିଜିମ ଉଦଘାଟିତ

ଭବାନୀପାଟଣା :ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା କଳାହାଣ୍ଡି ଜିଲ୍ଲା । ଯେଉଁଠି ପ୍ରକୃତି ଅଜାଡି ଦେଇଛି ତା'ର ସବୁ କାରିଗରୀ । ସବୁଜ ବଣ ପାହାଡ଼ ପରିବେଷ୍ଠିତ ପ୍ରାକୃତିକ ପରିବେଶରେ କୁଳୁକୁଳୁ ନାଦ କରି ଭୂପୃଷ୍ଠ ଉପରକୁ ବୋହି ଆସୁଥିବା ଝରଣା ଓ ଏହାର ପାଦଦେଶରେ ସୃଷ୍ଟି ହୋଇଥିବା ପ୍ରାକୃତିକ ଗଣ୍ଡର ଅପୂର୍ବ ଶୋଭା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । ଘଞ୍ଚ ଜଙ୍ଗଲ ସବୁଜବନାନୀ ମଧ୍ୟରେ ପାହାଡ଼ର ବୁକୁଚିରି କୁଳୁକୁଳୁ ନାଦରେ ଅବିରତ ବୋହି ଆସୁଥିବା ଛୋଟବଡ଼ ଅନେକ ଜଳ ପ୍ରପାତ ଦେଶ ତଥା ଦେଶ ବାହାରର ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରିଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ଉତ୍ତର ବନଖଣ୍ଡ ବିଭାଗ ପକ୍ଷରୁ ଭଟାଙ୍ଗ ପଦରରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇଛି ରାବଣ ଧାର ଇକୋ ଟୁରିଜିମ ସେଣ୍ଟର । ରବିବାର ଏହି ଇକୋ ଟୁରିଜିମ ସେଣ୍ଟର ଉଦଘାଟିତ ହୋଇଛି ।

କଳାହାଣ୍ଡି ଜିଲ୍ଲାର ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇ ପ୍ରତିବର୍ଷ ନଭେମ୍ବର ମାସଠାରୁ ଫେବୃଆରୀ ମାସ ପର୍ଯ୍ୟନ୍ତ ଏଠାକୁ ଅନେକ ପର୍ଯ୍ୟଟକ ଆସି ବଣଭୋଜି ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥାନ୍ତି । ନିଜର ବ୍ୟସ୍ତ ବହୁଳ ଜୀବନ ଭିତରେ ଉତ୍ସାହ ଖୋଜିବା ପାଇଁ ସମସ୍ତଙ୍କ ପ୍ରଥମ ପସନ୍ଦ ହୋଇଥାଏ କଳାହାଣ୍ଡି । କାରଣ ଏଠାକାର ପରିବେଶ ଓ ଖୋଲା ଆକାଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ କିଛି ସମୟ ନିଜକୁ ହଜେଇ ଦେବାକୁ କିଏବା ନଚାହିଁବ । ବିଶେଷ କରି ଭବାନୀପାଟଣା ସହରରୁ ମାତ୍ର ୧୨ କିମି ଦୂରରେ ଅବସ୍ଥିତ ରାବଣ ଧାର ଜଳପ୍ରପାତ, କର୍ଲାପାଟ ଅଭୟାରଣ୍ୟ ମଧ୍ୟରେ ଥିବା ଫୁର୍ଲି ଝରଣ ଜଳପ୍ରପାତ, ସିନ୍ଧେର ଜଳ ପ୍ରପାତ, ହାଲୋ ପଏଣ୍ଟ, ଗୁଡ଼ହାଣ୍ଡି ଡୋକରୀ ଚଞ୍ଚରା ଭଳି ଛୋଟବଡ଼ ଅନେକ ଜଳ ପ୍ରପାତ । ଏଠାରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି । ତେବେ ପର୍ଯ୍ୟଟନ କ୍ଷେତ୍ରରେ କଳାହାଣ୍ଡି ଆହୁରି ଗୋଟିଏ ପାଦ ଆଗକୁ ବଢିଛି । କାରଣ ଏବେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ଇକୋ ଟୁରିଜିମ ସେଣ୍ଟର ।

ଭବାନୀପାଟଣା ସଦର ମହକୁମାର ଅନତି ଦୂରରେ ଅବସ୍ଥିତ ରାବଣ ଧାର ଜଳପ୍ରପାତ । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷତମାମ ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କୁ ଆକର୍ଷିତ କରିଥାଏ । ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଏହି ସ୍ଥାନ ପାଲଟି ଥିବାବେଳେ ଜଳପ୍ରପାତର ଉଭୟ ପାର୍ଶ୍ଵରେ ସବୁଜ ଘଞ୍ଚ ଜଙ୍ଗଲ ପ୍ରକୃତି ପ୍ରେମୀଙ୍କୁ କରୁଛି ଆନମନା । ରାବଣଧାର ଜଳ ପ୍ରପାତ ପ୍ରକୃତିର ଏକ ଅନନ୍ୟ ଅବଦାନ । ପ୍ରାୟ ୪୦ ଫୁଟ ଉପରୁ ପାଣି ପଡୁଥିବାର ଦୃଶ୍ୟ ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରୁଥାଏ । ଏହି ଜଳପ୍ରପାତ ବର୍ଷ ତମାମ ଚିରସ୍ରୋତା ହୋଇଥିବାରୁ ବର୍ଷ ତମାମ ଏଠି ପର୍ଯ୍ୟଟକ ଆସୁଛନ୍ତି । ନଭେମ୍ବର ପହିଲାରୁ ଫେବୃଆରୀ ମାସ ଯାଏଁ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହେ । ଭୋଜି ଭାତର ଆସର ସାଙ୍ଗକୁ ସୂର୍ଯ୍ୟ ଅସ୍ତ ହେବା ମାତ୍ରକେ ସମସ୍ତେ ସେଲ୍‌ଫି ନେବାକୁ ଆଗ୍ରହ ପ୍ରକାଶ କରନ୍ତି । ଚଳିତ ବର୍ଷ ଜିଲ୍ଲା ଓ ଜିଲ୍ଲା ବାହାରୁ ମଧ୍ୟ ଅନେକ ପର୍ଯ୍ୟଟକଙ୍କ ଆଗମନ ହେଉଥିବା ଦେଖିବାକୁ ମିଳିଛି ।

ତେବେ ଏସବୁକୁ ଦୃଷ୍ଟିରେ ରଖି ଜିଲ୍ଲା ଉତ୍ତର ବନଖଣ୍ଡ ବିଭାଗ ପକ୍ଷରୁ ଭଟାଙ୍ଗ ପଦରରେ ପ୍ରାୟ ୧ କୋଟି ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇଛି ରାବଣ ଧାର ଇକୋ ଟୁରିଜିମ ସେଣ୍ଟର । ଏଠାରେ ପର୍ଯ୍ୟଟକଙ୍କ ପାଇଁ ରହିବା ଖାଇବା ସହ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବୁଲି ଉପଭୋଗ କରିବା ପାଇଁ ୨ ଟି ଚାରି ଚକିଆ ଗାଡିର ବ୍ୟବସ୍ଥା ଓ ପର୍ଯ୍ୟଟକଙ୍କ ପାଇଁ ଏକ ପାର୍କ ମଧ୍ୟ କରିଛି ବନ ବିଭାଗ। ଯାହାର ଉଦଘାଟନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ପୌର ଅଧକ୍ଷା ସଂଯୁକ୍ତା ବେହେରା, ଉତ୍ତର ବନଖଣ୍ଡ ଅଧିକାରୀ ଗଜାନନ ଲାଡେ ପ୍ରମୁଖ ଯୋଗଦେଇ ଏହି ରାବଣ ଧାର ଇକୋ ଟୁରିଜିମର ଉଦଘାଟନ କରିଥିଲେ । ସେପଟେ ଖୁବଶୀଘ୍ର ଥୁଆମୂଳ ରାମପୁରରେ ଥିବା ହାଲୋ ପଏଣ୍ଟରେ ରୋପୱେରର ମଧ୍ୟ ବ୍ୟବସ୍ଥା କରାଯିବ ଯାହା ଦ୍ୱାରା ଜିଲ୍ଲାକୁ ବର୍ଷ ତମାମ ପର୍ଯ୍ୟଟକ ଆସିବେ ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details