ଭବାନୀପାଟଣା:ଶାରଦୀୟ ଦୁର୍ଗାପୂଜା ଅବସରରେ ରାଜ୍ୟର ସବୁ ଶକ୍ତିପୀଠ ଗୁଡିକରେ ଚାଲିଛି ପୂଜାର୍ଚ୍ଚନା । ଦୁଇ ବର୍ଷପରେ ମହାଆଡମ୍ବରରେ ମା' ଜଗତଜନନୀଙ୍କ ଆରଧନା କରାଯାଉଛି । ଓଡିଶାରେ ରହିଥିବା ବିଭିନ୍ନ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ କଳାହାଣ୍ଡି ଜିଲ୍ଲା ଉଦୟଗିରି ପାହାଡ଼ ସ୍ଥିତ ତାଳଗୁଡ଼ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା' ଡୋକରୀଙ୍କ ମନ୍ଦିରରେ ମଧ୍ୟ ନବରାତ୍ରୀ ପୂଜା ଅନୁଷ୍ଠିତ ହୋଇଯାଇଛି । ମା' ଡୋକରୀ କଳାହାଣ୍ଡିର ବାଉଁଶ ବଣର ଦେବୀ ମା' ଭାବେ ପରିଚିତ । ଶହ ଶହ ବର୍ଷ ଧରି ଗଙ୍ଗ ବଂଶ ଓ ନାଗ ବଂଶର ଉତ୍ତରାଧିକାରୀଙ୍କ ଦ୍ଵାରା ପୂଜା ପାଇ ଆସୁଛନ୍ତି ଦେବୀ ମା' । ମା'ଙ୍କ ନିକଟରେ ବିଜୟା ଦଶମୀ ପୂଜାର୍ଚ୍ଚନା ଶେଷ ହୋଇଛି ।
ମନ୍ଦିର ପରିଚାଳନା ଦାୟିତ୍ବ ମହୁଳପାଟଣା ଜମିଦାରଙ୍କ ହାତରେ ରହିଛି । ୧୧ ବର୍ଷ ହେଲା ରଘୁବୀର ପ୍ରତାପଦେଓ ଜମିଦାର ଭାବରେ ମା' ଡୋକରୀଙ୍କ ପୂଜାର୍ଚ୍ଚନାରେ ସାମିଲ ହେଉଛନ୍ତି । ତେବେ ଅଷ୍ଟମୀ ମଧ୍ୟରାତ୍ରିରେ ମା' ଡୋକରୀଙ୍କ ମାନସିକଧାରୀମାନେ ଛାଗଲ ବଳି ଅର୍ପଣ କରନ୍ତି । ମା'ଙ୍କ ପୀଠରେ ଲାଠିଯାତ୍ରା ଅନୁଷ୍ଠିତ ହୋଇଥାଏ । ମହାଷ୍ଟମୀ ଯାତ୍ରା ପାଇଁ ବାନେର ସ୍ଥିତ ମା' ବୁଢ଼ୀ ପଦରେନଙ୍କ ସମେତ ଜୟପାଟଣା, ପିପଲଗୁଡା, ଖାଲିଆଭଟା, ପ୍ରତାପପୁର, କରଞ୍ଜିଗୁଡା, ଗହିପାଣି ଆଦି ସ୍ଥାନ ଦେଇ ଦେବୀ ମା'ଙ୍କର ପ୍ରତୀକ ଲାଠି ଆସିଥାଏ । ପ୍ରାୟ ୧୮ କିଲୋମିଟର ରାସ୍ତା ଅତିକ୍ରମ କରି ମା' ଡୋକରୀଙ୍କ ଅଷ୍ଟମୀ ପୂଜାରେ ଏହି ଲାଠି ମା'ଙ୍କ ପୂଜାରେ ବ୍ୟବହାର ହୁଏ ।