ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ନିଜ ଗାଡି ଚକାତଳେ ଆସି ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ଭଳି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବେଦାନ୍ତରୁ ଭାବନୀପାଟଣା ଦେଇ ଝାରସୁଗୁଡାକୁ ଯାଉଥିଲା ଏକ ବେଦାନ୍ତ ଟ୍ୟାଙ୍କର । ଏହି ଟେଙ୍କରଟି ଭବାନୀପାଟଣା ସହରର ପ୍ରବେଶ ପଥରେ ଯାଉଥିବା ସମୟରେ ଆଇଟିଆଇ ଛକ ନିକଟରେ ଟ୍ୟାଙ୍କରରେ କୌଣସି ସମସ୍ୟା ଦେଖା ଦେଇଥିଲା । ଏନେଇ ଡ୍ରାଇଭର ଜଣକ ଗାଡିକୁ ରାସ୍ତା ଉପରେ ଛିଡା କରି ଗାଡିକୁ ଷ୍ଟାର୍ଟରେ ଥିବା ସମୟରେ ଟେଙ୍କର ତଳକୁ ଯାଇ ସଜାଡ଼ିବାକୁ ଲାଗିଥିଲେ ।
ତେବେ ଏହି ସମୟରେ କୌଣସି କାରଣ ବଶତଃ ଟେଙ୍କରଟି ଆଗକୁ ଗଡ଼ିବାକୁ ଲାଗିଥିଲା । ଫଳରେ ଟ୍ୟାଙ୍କର ତଳେ ଶୋଇ କାମ କରୁଥିବା ଡ୍ରାଇଭର ଉପରକୁ ଟେଙ୍କରଟି ଚଢି ଯାଇଥିଲା । ଏନେଇ ଘଟଣା ସ୍ଥଳରେ ଡ୍ରାଇଭରଙ୍କ ମୃତ୍ୟ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ଅନ୍ୟପଟେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବାବେଳେ, ବର୍ତ୍ତମାନ ସୁଦ୍ଧା ମୃତ ଡ୍ରାଇଭରଙ୍କ ପରିଚୟ ମିଳି ପାରିନଥିବା ଜଣାପଡିଛି । ସେପଟେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ନେଇ ପୋଲିସ ସୂଚନା ଦେଇଛି ।