ଭବାନୀପାଟଣା: ଟର୍ଚ୍ଚ ଲାଇଟରେ ରୋଗୀଙ୍କୁ ଦେଖିଲେ ଡାକ୍ତର । ଦୀର୍ଘ ଦୁଇ ଘଣ୍ଟା ଘରି ଡାକ୍ତରଖାନା ପରିସରରେ ବିଦ୍ୟୁତ ସରବରାହ ନଥିବାରୁ ହୀନସ୍ତା ଭୋଗିଲେ ରୋଗୀ । କଳାହାଣ୍ଡି ମୁଖ୍ୟ ଡାକ୍ତରଖାନାରେ ସ୍ବାସ୍ଥ୍ଯ ସେବାର ଏଭଳି ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଗତ ବିଳମ୍ବିତ ରାତିରେ ଏମ୍ସିଏଚ୍ ବିଲ୍ଡିଂ ପ୍ରସୂତି ଓ ଚିକିତ୍ସା ବିଭାଗ ୱାର୍ଡରେ ବିଦ୍ୟୁତ ନଥିବାରୁ ଟର୍ଚ୍ଚ ଆଲୁଅରେ ଡାକ୍ତର ରୋଗୀ ଦେଖୁଥିବା ଘଟଣା ରୋଗୀଙ୍କ ପରିବାର ଲୋକେଙକ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଏହି ଘଟଣା ମୁଖ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦାୟିତ୍ବ ହୀନତାକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି ।
ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ବିଜୁଳି ଚାଲି ଯାଇଥିଲା । ପରେ ଏମ୍ସିଏଚ୍ରେ ନିୟୋଜିତ କର୍ମଚାରୀ ଜେନେରେଟର ଚଳାଇଥିଲେ । ଡିଜିରେ ଥିବା ବ୍ୟାଟେରୀ ଅଚାନକ ଫାଟିଯିବାରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ପୂର୍ବରୁ ବିଦ୍ୟୁତ ନଥିବାରୁ ସମ୍ପୂର୍ଣ୍ଣ ଏମ୍ସିଏଚ୍ ବିଲ୍ଡିଂର ବିଭିନ୍ନ ୱାର୍ଡ, ଅସ୍ତ୍ରୋପଚାର କକ୍ଷରେ ବିଜୁଳି ନଥିଲା । ଫଳରେ ସାରା ଡାକ୍ତରଖାନା ଦୁଇ ଘଣ୍ଟା ଧରି ଅନ୍ଧକାରରେ ବୁଡ଼ି ରହିଥିଲା । ଏହି ସମୟରେ ପ୍ରସୂତି ଓ ଶିଶୁ ଚିକିତ୍ସା ବିଭାଗରେ ଡାକ୍ତର ଟର୍ଚ୍ଚ ବ୍ୟବହାର କରି ଚିକିତ୍ସା କରିଥିଲେ । ମୁଖ୍ୟ ଡାକ୍ତରଖାନାରେ ଲାଗିଥିବା ଡିଜି ଜେନରେଟରର ବ୍ୟାଟେରୀ ୨୦୧୯ରେ ଲଗାଯାଇଥିଲା । ଦୀର୍ଘ ୫ବର୍ଷ ଧରି ତାହାର ରକ୍ଷଣାବେକ୍ଷଣ ଯୋଗାଣ କରିଥିବା ସଂସ୍ଥା କରୁନଥିବାବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ବାବଦକୁ ଲକ୍ଷାଧିକ ଟଙ୍କା ପଇଠ କରି ଚାଲିଛନ୍ତି । ଯୋଗାଣ ସଂସ୍ଥା ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ଏହା ସ୍ପଷ୍ଟ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି ।