କଳାହାଣ୍ଡି: ଇଚ୍ଛାମୃତ୍ୟୁ ପାଇଁ ୩୦ ବର୍ଷୀୟ ଯୁବକଙ୍କ ରାଷ୍ଟ୍ରପତିଙ୍କ ଠାରେ ଆବେଦନ (Appeal For Euthanasia) । କଳାହାଣ୍ଡି ଜିଲ୍ଲା ମାଦିଗୁଡା ପଞ୍ଚାୟତ ଚିକିଲି ଗାଁର ଅନୀଲ କୂପର ଶିଖା ଦୀର୍ଘ ୬ ବର୍ଷ ହେଲା ଦୁର୍ଘଟଣାର ଶିକାର ହୋଇ ଶଯ୍ୟାଶାୟୀ । ଏକ ସଡକ ଦୁର୍ଘଟଣାରେ ମେରୁଦଣ୍ଡରେ ଗଭୀର ଆଘାତ ପାଇ ସେ ସମ୍ପୂର୍ଣ୍ଣ ଅକର୍ମଣ୍ୟ ହୋଇପଡିଥିଲେ । ସ୍ୱପ୍ନ ଥିଲା ଶିକ୍ଷକତା କରି ପରିବାର ପ୍ରତିପୋଷଣ ସହ ଏକ ଶିକ୍ଷିତ ସମାଜ ସୃଷ୍ଟି କରିବା ।
ଡିସେମ୍ବର ୧୦ ତାରିଖ ୨୦୧୫ ମସିହାରେ ସେ ପ୍ରତ୍ୟେକ ଦିନ ଭଳି ବାହାରିଥିଲେ ଭବାନୀପାଟଣାକୁ କୋଚିଂ ପାଇଁ । କୋଚିଂ ସାରି ଫେରିବା ସମୟରେ ତାଙ୍କ ସହ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁର୍ଘଟଣା କାରଣରୁ ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା । ସେବେଠାରୁ ସେ ଶଯ୍ୟାଶାୟୀ ହୋଇ ପରିବାର ଲୋକଙ୍କ ଉପରେ ବୋଝ ହୋଇଯାଇଛନ୍ତି । ଆର୍ଥିକ ଅନଟନ ମଧ୍ୟରେ ବି ସୁନାଗହଣା ବିକ୍ରି ଜମି ବିକ୍ରି କରି ଅନୀଲକୁ ବଡ଼ ଡ଼ାକ୍ତରଖାନାରେ ବର୍ତ୍ତି କରିଥିଲେ । କିନ୍ତୁ, ଅନୀଲଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା । ଆଉ ସେହିଦିନ ଠାରୁ ଆଜିଯାଏଁ ସେ ଶଯ୍ୟାଶାୟୀ । ଯେଉଁ ସମୟରେ ସେ ମା’ ବାପାଙ୍କ ଆଶାବାଡ଼ି ହେବା କଥା ସେହି ସମୟରେ ସେ ତାଙ୍କ ଉପରେ ନିର୍ଭରଶୀଳ । ତେଣୁ ଶେଷରେ ସେ ବାଧ୍ୟ ହୋଇ ଇଚ୍ଛାମୃତ୍ୟୁକୁ ଆପଣାଇ ନେବା ପାଇଁ ନିଷ୍ପତ୍ତି ନେଲେ।