ଭବାନୀପାଟଣା: କଥାରେ ଅଛି ଇଚ୍ଛା ଥିଲେ ଅସମ୍ଭବ ବି ସମ୍ଭବ ହୋଇଯିବ । ଆଉ ଯାହାକୁ ପ୍ରମାଣିତ କରି ଦେଖାଇଛନ୍ତି ଜଣେ ଦିବ୍ୟାଙ୍ଗ । ସେ ଜଣେ ଦିବ୍ୟାଙ୍ଗ ହେଲେ ବି ତାଙ୍କ ଇଚ୍ଛାଶକ୍ତି ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା । ଗୁରୁଣ୍ଡି ଗୁରୁଣ୍ଡି କରିଛନ୍ତି ରାସ୍ତା ମରାମତି । ଆଉ ତାଙ୍କର ଏଭଳି କାମକୁ ଦେଖି ଛୁଟୁଛି ପ୍ରଶଂସାର ସୁଅ ।
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ୍ ଡୁମେରଗୁଡ଼ା ପଞ୍ଚାୟତ ଯୋରପଡ଼ା ଗାଁରେ ରୁହନ୍ତି ଗଣେଶ ନାଏକ । ଗଣେଶ ଆଜନ୍ମ ଦିବ୍ୟାଙ୍ଗ । ଦୁଇଟି
ଯାକ ଗୋଡ଼ ପୋଲିଓ ଆକ୍ରାନ୍ତ । ଫଳରେ ନିଜ ଗୋଡ଼ରେ ଛିଡ଼ା ହେବା ତାଙ୍କ ପକ୍ଷେ ସମ୍ଭବନୁହେଁ । ହେଲେ ଦୁନିଆ ଆଗରେ ସ୍ଵାଭିମାନର ସହ ମୁଣ୍ଡ ଟେକି ଛିଡା ହୋଇଛନ୍ତି ଗଣେଶ । କେବେ କାହାର ଦୟାର ପାତ୍ର ହୋଇନାହାଁନ୍ତି । ଏପରି କି ନିଜ ସହ ନିଜ ବାପା ଏବଂ ସାନ ଭାଇର ସବୁତକ ବୋଝ ବି ସେ ମୁଣ୍ଡାଇଛନ୍ତି । ଖାଲି ସେତିକି ନୁହେଁ ଗାଁକୁ ରାସ୍ତାଟିଏ ନଥିବାରୁ ନିଜେ ତିଆରି କରିଛନ୍ତି ଗାଁକୁ ଯାତାୟତ ପାଇଁ ରାସ୍ତା ।
ଯେଉଁଠି ସୁସ୍ଥସବଳ ଲୋକ ରାସ୍ତାର ଖାଲକୁ ଆଡ଼ ଆଖିରେ ଚାହୁଁନାହାନ୍ତି, ସେଠି ଗାଁର ସମସ୍ୟାକୁ ଅଣଦେଖା କରି ପାରିନାହାଁନ୍ତି ବିଦ୍ୟାଙ୍ଗ ଜଣକ । ତିନି ଚକିଆକୁ ସାଇଡ୍ କରି କେତେବେଳେ ଫାଉଡ଼ାରେ ମାଟି କୋଡୁଛନ୍ତି ତ ଆଉ କେତେବେଳେ ହାତରେ ମାଟି ସାଉଁଟି ରାସ୍ତାର ଖାଲଖମା ପୋତୁଛନ୍ତି । ଏହାର ଭିଡିଓ କେହି ଜଣେ ସୋସିଆଲ ମିଡିଆରେ ଛାଡ଼ିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଦିବ୍ୟାଙ୍ଗଙ୍କ ପାଇଁ ଯେତିକି ପ୍ରଶଂସା ଫୁଟି ଉଠିଛି ତାଠାରୁ ଅଧିକ ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିଙ୍କ ପାଇଁ ଅସନ୍ତୋଷ ପ୍ରକାଶ ପାଉଛି । ଗଣେଶଙ୍କ ଦୁଇଟି ଯାକ ଗୋଡ଼ ପୋଲିଓ ଆକ୍ରାନ୍ତ । ହେଲେ ଯାତାୟାତ ବେଳେ ବିଭିନ୍ନ ସମୟରେ ତାଙ୍କ ପାଇଁ ବାଟ ହୁଡ଼ିଥାଏ ଗାଁର ଶୋଚନୀୟ ରାସ୍ତା। ଖାଲଖମାରେ ଭରା ଯୋରପଡ଼ାରୁ କେରମୁଣ୍ଡା ରାସ୍ତାରେ ଯିବାଆସିବା ବେଳେ ଏକାଧିକଥର ସେ ଟ୍ରାଇସାଇକେଲରୁ ଖସିପଡିଛନ୍ତି । ଉକ୍ତ ରାସ୍ତା ମରାମତି ପାଇଁ ପୂର୍ବରୁ ଅନେକଥର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଗୁହାରି କରିଛନ୍ତି । ଏମିତିକି ଧର୍ମଗଡ଼ ବ୍ଳକ୍ କାର୍ଯ୍ୟାଳୟକୁ ମଧ୍ୟ ଯାଇ କେରମୁଣ୍ଡା ଗାଁ ରାସ୍ତାର ମରାମତି ପାଇଁ ସରକାରୀ ବାବୁମାନଙ୍କୁ ଅନୁରୋଧ କରିଛନ୍ତି । କିନ୍ତୁ କୌଣସି ସୁଫଳମିଳିନାହିଁ ।