ଭବାନୀପାଟଣା:ଆଦିବାସୀ ଅଧ୍ୟୁଷିତ ବଣ ପାହାଡ଼ ଘେରା ଅଞ୍ଚଳ କଳାହାଣ୍ଡି ଜିଲ୍ଲାରେ ପୁଣି ବ୍ୟାପିବାରେ ଲାଗିଛି ଡ଼ାଇରିଆ ଆତଙ୍କ । କିଛିଦିନର ବ୍ୟବଧାନ ପରେ ପୁଣି ଥୁଆମୂଳ ରାମପୁର ବ୍ଲକରେ ପୁଣି ଡାଇରିଆ ଆତଙ୍କ ଦେଖାଦେଇଛି(Diarrhea outbreak in Thuamul Rampur) ।
ଥୁଆମୂଳ ରାମପୁରରେ ଏବେ ପୁଣି ଡ଼ାଇରିଆ ବ୍ୟାପିବାରେ ଲାଗିଛି । ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁକୁ ମାଡିଚାଲିଛି ଡାଇରିଆ । ପୂର୍ବରୁ ବ୍ଲକରେ ଡାଇରିଆରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ହେଲେ ପୁଣି ଏବେ ବ୍ଲକରେ ଡାଇରିଆ ମୁଣ୍ଡ ନେଉଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ବ୍ଳକର ନାକରୁଣ୍ଡି ପଞ୍ଚାୟତର କେଳୁଆ, ଖଜୁରଗୁଡା, ଆମଝୋଲା ଗାଁରେ ଗତ ୪ ଦିନ ହେବ ଝାଡ଼ାବାନ୍ତି ବ୍ୟାପି ଥିବା ବେଳେ କେଳୁଆ ଗାଁର ୨ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ସେପଟେ ଗାଁରେ ୧୦ରୁ ଊର୍ଦ୍ଧ୍ବ ଡାଇରିଆରେ ଆକ୍ରାନ୍ତ ହୋଇ ଘରେ ପଡି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗାଁରେ ସ୍ୱାସ୍ଥ୍ୟ ଟିମ ପହଞ୍ଚି ନଥିବା ଜଣାପଡିଛି । ଗାଁକୁ ରାସ୍ତା ନଥିବା କାରଣରୁ ରୋଗୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି।