ଭବାନୀପାଟଣା :କଳାହାଣ୍ଡି ଜିଲ୍ଲାରେ କମିବାର ନାଁ ନେଉନି ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାର ଥୁଆମୂଳ ରାମପୁର, ଧର୍ମଗଡ଼, କଲମପୁର ପରେ ଏବେ କେସିଙ୍ଗା ବ୍ଲକକୁ ଡାଇରିଆ (Diarrhea fear) ବ୍ୟାପିଛି । ଏହି କ୍ରମରେ ଆଜି କେସିଙ୍ଗା ବ୍ଲକର ଶିରୋଲ ଗାଁରେ ୩୬ ଜଣ ଲୋକେ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି (Diarrhea outbreak in sirul Kalahandi) । ସମସ୍ତ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ଗତ ୩ଦିନ ମଧ୍ୟରେ ଏହି ଗାଁରୁ ୩୦ରୁ ଅଧିକ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।
ଏହା ମଧ୍ୟ ପଢନ୍ତୁ:କଳାହାଣ୍ଡିରେ ଥମୁନି ଡାଇରିଆ, ଶିରୋଲରେ ୩୬ ଆକ୍ରାନ୍ତ
ଡାଇରିଆ ଯୋଗୁଁ ଅନେକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ମଧ୍ୟ ଅନେକ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି । ଏସବୁ ଭିତରେ ଏବେ ପୁଣି ନୂଆଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଏକ ଚିନ୍ତାର ବିଷୟ ପାଲଟିଛି । ସେହିଭଳି ଥୁଆମୂଳ ରାମପୁରରେ ଏବେ ପୁଣି ଡ଼ାଇରିଆ ବ୍ୟାପିବାରେ ଲାଗିଛି । ପୂର୍ବରୁ ବ୍ଲକରେ ଡାଇରିଆରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନେକ ଆକ୍ରାନ୍ତ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ । ହେଲେ ପୁଣି ଏବେ ବ୍ଲକରେ ଡାଇରିଆ ମୁଣ୍ଡ ନେଉଥିବା ଜଣାପଡିଛି । ବ୍ଳକର ନାକରୁଣ୍ଡି ପଞ୍ଚାୟତର କେଳୁଆ, ଖଜୁରଗୁଡା, ଆମଝୋଲା ଗ୍ରାମରେ ଗତ ୪ ଦିନ ହେବ ଝାଡ଼ାବାନ୍ତି ବ୍ୟାପି ଥିବା ବେଳେ କେଳୁଆରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୨ଜଣଙ୍କର ମୃତ୍ୟୁ ହୋଇଥିଲା । ସେପଟେ ଗ୍ରାମରେ ୧୦ରୁ ଅଧିକ ଡାଇରିଆରେ ଆକ୍ରାନ୍ତ ହୋଇ ଘରେ ପଡି ରହିଛନ୍ତି । ରାସ୍ତା ନଥିବା କାରଣରୁ ରୋଗୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି ।