ଭବାନୀପାଟଣା: ଆସିଛି ପାର୍ବଣ ଋତୁ ପୀଠ ଠାରୁ ଆରମ୍ଭ କରି ମଣ୍ଡପ ସବୁଠି ମହାଆଡମ୍ବର ସହ ଚାଲିଛି ଦେବୀଙ୍କ ପୂଜାର୍ଚ୍ଚନା । ମଣ୍ଡପମାନଙ୍କରେ ଆଜି ଜଗତଜନନୀ ମା’ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଥିବା ପାଉଛନ୍ତି । ସେପଟେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ଚାଲିଛି ଷୋଡ଼ଶପୂଜା ସହ ଗୁପ୍ତ ରୀତିନୀତିରେ ପୂଜାର୍ଚ୍ଚନା । କଳାହାଣ୍ଡିର ଆଦିବାସୀ ଓ ଆର୍ଯ୍ୟ ସଂସ୍କୃତିର ମିଶ୍ରଣରେ ସୃଷ୍ଟି ହୋଇଛି ମା’ ମାଣିଙ୍କେଶ୍ୱରୀଙ୍କର ସଂସ୍କୃତି ଓ ପରମ୍ପରା ।
ସେହି ପରମ୍ପରା ଅନୁଯାୟୀ ଆଜି ନବରାତ୍ର ସମେତ ମାଙ୍କ ଷୋଡ଼ଶଦିନାତ୍ମକ ପୂଜାର ତୃତୀୟ ଦିବସରେ ମା‘ଙ୍କ ନିକଟରେ ଶତାଧିକ ପଶୁବଳି ଦେଇଛନ୍ତି ମାନସିକଧାରୀ । ଫଳରେ ରକ୍ତ ରଞ୍ଜିତ ହୋଇଛି ମା’ଙ୍କ ପୀଠ । ଆଜି ସକାଳୁ ସକାଳୁ ମାଣିକେଶ୍ଵରୀଙ୍କ ମନ୍ଦିରରେ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । କିଏ ଛେଳି ନେଇ ମା’ଙ୍କ ମନ୍ଦିରରେ ପହଞ୍ଚିଥିଲା ତ ପୁଣି ଆଉ କିଏ ଧୂପଦୀପ ଦେଇ ମା’ଙ୍କୁ ପୂଜାର୍ଚ୍ଚନା କରିଛନ୍ତି । ବିଶ୍ବାସ ରହିଛି ମାନଙ୍କ ନିକଟରେ ମାନସିକ କଲେ ତାହା ପୂରଣ ହୋଇଥାଏ । ଆଉ ସେହି ମାନସିକ ପୂରଣ ପରେ ଶ୍ରଦ୍ଧାଳୁ ମା’ଙ୍କ ନିକଟରେ ବଳି ଅର୍ପଣ କରିବା ସହ ଶାନ୍ତିର ପାରା ମଧ୍ୟ ଉଡ଼ାଇଥାନ୍ତି । ଛତର ଯାତ୍ରାରେ ହିଁ ମା’ଙ୍କ ନିକଟରେ ବଳି ଅର୍ପଣ କରାଯାଏ ତାହା ନୁହେଁ ବର୍ଷ ତମାମ ମାଙ୍କ ମନ୍ଦିରରେ ବଳି ପର୍ବ ଜାରି ରହୁଛି । ଦଶହରା ମାଙ୍କ ଗୁପ୍ତା ପୂଜା ଓ ଷୋଡଶ ଦିନାତ୍ମକ ପୂଜାରେ ମଧ୍ୟ ଶ୍ରଦ୍ଧାଳୁ ବଳି ଅର୍ପଣ କରିଥାନ୍ତି ।