ଓଡିଶା

odisha

ETV Bharat / state

କଳାହାଣ୍ଡିରେ ଉଗ୍ରରୂପ ନେଉଛି ଦାଦନ ଦୁଃଖ, ପୁଣି ଫେରିଲା ଶ୍ରମିକଙ୍କ ମୃତଦେହ - କଳାହାଣ୍ଡିରେ ଉଗ୍ରରୂପ ନେଉଛି ଦାଦନ ଦୁଃଖ

କଳାହାଣ୍ଡି ଜିଲ୍ଲାରେ ଧୀରେ ଧୀରେ ଉଗ୍ରରୂପ ନେବାରେ ଲାଗିଛି ଦାଦନ ଶ୍ରମିକଙ୍କ ଦୁଃଖ । ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଆଉ ଜଣେ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିଛି । ଅଧିକ ପଢନ୍ତୁ

କଳାହାଣ୍ଡିରେ ଉଗ୍ରରୂପ ନେଉଛି ଦାଦନ ଦୁଃଖ, ପୁଣି ଫେରିଲା ଶ୍ରମିକଙ୍କ ମୃତଦେହ
କଳାହାଣ୍ଡିରେ ଉଗ୍ରରୂପ ନେଉଛି ଦାଦନ ଦୁଃଖ, ପୁଣି ଫେରିଲା ଶ୍ରମିକଙ୍କ ମୃତଦେହ

By

Published : Jun 9, 2022, 4:56 PM IST

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ବଢି ଚାଲିଛି ଦାଦନ ଦୁଃଖ । ଧୀରେ ଧୀରେ ଏହା ଉଗ୍ରରୂପ ନେଉଛି । ରାଜ୍ୟରେ କାମଧନ୍ଧା ମିଳୁନଥିବାରୁ ବାଧ୍ୟ ହୋଇ ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଅନେକ ଜିଲ୍ଲାବାସୀ । ଦୁର୍ଘଟଣା ହେଉ କି ହାଡ଼ଭଙ୍ଗା ପରିଶ୍ରମ ଦ୍ବାରା ସେମାନେ ମୃତ୍ୟୁମୁଖରେ ପଡୁଥିବା ଦେଖିବାକୁ ମିଳିଛି । ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଚିଙ୍ଗିରିପାସ୍ ଗାଁର ସୁଦର୍ଶନ ଝୋଡିଆ ପରିବାର ପ୍ରତିପୋଷଣ ଆଶାରେ ଗତ ୩ ବର୍ଷ ତଳେ କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ।

କଳାହାଣ୍ଡିରେ ଉଗ୍ରରୂପ ନେଉଛି ଦାଦନ ଦୁଃଖ, ପୁଣି ଫେରିଲା ଶ୍ରମିକଙ୍କ ମୃତଦେହ

ସେଠାରେ ସେ ଏକ ଷ୍ଟିଲ କମ୍ପାନୀରେ କାମ କରିଥିଲେ କିନ୍ତୁ ଆଜି ସକାଳୁ ସେ କାମ କରୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ସୁଦର୍ଶନଙ୍କୁ ସାଥୀ ଶ୍ରମିକ ମାନେ ତୁରନ୍ତ ନିକଟରେ ମେଡ଼ିକାଲକୁ ନେଇଥିଲେ । ହେଲେ ସେଠାରେ ତାଙ୍କର ମୃତ ଘୋଷଣା କରିଥିବା ବେଳେ ମୃତଦେହ ଆଣିବା ପାଇଁ ପରିବାର ଲୋକେ କମ୍ପାନୀ ସହ ଆଲୋଚନା କରିବା ପରେ ଏକ ଆମ୍ବୁଲାନ୍ସ ଯୋଗେ ସୁଦର୍ଶନଙ୍କ ମୃତଦେହ ଗାଁରେ ପହଞ୍ଚିଛି ।

ଆଉ ଗାଁରେ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଯଥାଶୀଘ୍ର ଜିଲ୍ଲା ପ୍ରଶାସନ ମୃତ ଦାଦନ ଶ୍ରମିକ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଜିଲ୍ଲାର ହଜାର ହଜାର ଗରିବ, ଖଟିଖିଆ ସୁଦୂର ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, କେରଳର ଇଟାଭାଟି ଗୁଡ଼ିକରେ କାମ କରିବା ପାଇଁ ଯାଉଛନ୍ତି । ସେଠାକାର ଅସ୍ବାସ୍ଥ୍ୟକର ପରିବେଶ ଏବଂ ହାଡ଼ଭଙ୍ଗା ପରିଶ୍ରମ ଫଳରେ ଅନେକ ଦାଦନ ଶ୍ରମିକ ମୃତ୍ୟୁମୁଖରେ ପଡୁଛନ୍ତି । କାର୍ଯ୍ୟସ୍ଥଳୀରେ ହିଁ ସ୍ତ୍ରୀଟିଏ ସ୍ଵାମୀହୀନା ହୋଇଯାଉଛି କିମ୍ବା ସ୍ଵାମୀଟିଏ ସ୍ତ୍ରୀ ହରା ହୋଇଯାଉଛି ।

ଶିଶୁମାନେ ବାପା ମା'ଙ୍କୁ ହରାଇ ବେସାହାରା ହେଉଛନ୍ତି । କଅଁଳ ବୟସରେ ହାଡ଼ଭଙ୍ଗା ପରିଶ୍ରମ କରୁଛନ୍ତି ଏବଂ ପୁଣି ଦାଦନ ଶ୍ରମିକ ହେଉଛନ୍ତି । ଏଭଳି ବାସ୍ତବ କରୁଣ କାହାଣୀ ଦୀର୍ଘ ବର୍ଷ ଧରି ଚାଲି ଆସୁଥିଲେ ସୁଦ୍ଧା ଶ୍ରମ ଆଇନ କିମ୍ବା ଏହାର ରକ୍ଷାକର୍ତ୍ତା କେହି ବି ଦାଦନ ଶ୍ରମିକ ପରିବାରକୁ ସୁରକ୍ଷା ଦେଇପାରୁ ନାହାନ୍ତି । କାମ ଅନ୍ଵେଷଣରେ ମୃତ୍ୟୁର ଉପତ୍ୟକାରେ ଜୀବନ ସହ ଲଢ଼ୁଛି ଦାଦନ । ବିଗତ ଗୋଟିଏ ମାସ ମଧ୍ୟରେ ଜିଲ୍ଲାରେ ୧୦ରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକଙ୍କ ମୃତଦେହ ନିଜ ଗାଁକୁ ଫେରିଛି । ତଥାପି ନୀରବ ପ୍ରଶାସନ । ଆଜି ପୁଣି ଏକ ଦାଦନ ଶ୍ରମିକଙ୍କ ମୃତଦେହ ଗାଁକୁ ଫେରିଥିବା ଦେଖିବାକୁ ମିଳିଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details