ଓଡିଶା

odisha

ETV Bharat / state

ଦାଦନ ଦୁଃଖ: ତେଲେଙ୍ଗାନାର ରେଳଧାରଣାରୁ ଓଡ଼ିଆ ଶ୍ରମିକଙ୍କ ମୃତଦେହ ଉଦ୍ଧାର - ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

କଳାହାଣ୍ଡି ଜିଲ୍ଲାରେ ସରୁନି ଦାଦନ ଦୁଃଖ । ଗତ ୫ ଦିନ ମଧ୍ୟରେ ଜିଲ୍ଲାରେ ୪ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଅଧିକ ପଢ଼ନ୍ତୁ

kalahandi migrant labour died in Telangana
ତେଲେଙ୍ଗାନାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

By

Published : Mar 11, 2023, 9:53 PM IST

ଭବାନୀପାଟଣା:ପରିବାର ପ୍ରତିପୋଷଣ ପାଇଁ ରାଜ୍ୟ ବାହାରକୁ ଯାଇଥିଲେ । ହେଲେ ମୃତଦେହ ହୋଇ ଫେରିଲେ ଯୁବକ । ଯୁବାବସ୍ଥାରେ ଚାଲିଗଲା ପରିବାରର ଏକ ମାତ୍ର ରୋଜଗାରକ୍ଷମ ପୁଅ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ମୃତକ ଜଣକ ହେଉଛନ୍ତି ଖୁଣ୍ଟିଆ ଗ୍ରାମର ଦେବାନନ୍ଦ ପୂଜାରୀ ।

ଦେବାନନ୍ଦ ପୂଜାରୀ ନିଜ ବୃଦ୍ଧ ବାପା ମାଆଙ୍କୁ ଦିଓଳି ଦି ମୁଠା ଖାଇବା ଯୋଗାଇବା ଆଶାରେ ଗତ ୪ ମାସ ତାଳେ ଦାଦନ ସର୍ଦ୍ଦାର ସହ ଯୋଗାଯୋଗ କରି ଦାଦନ ଖାଟିବା ପାଇଁ ସୁଦୂର ତେଲେଙ୍ଗାନା ରାଜ୍ୟକୁ ଯାଇଥିଲେ । ମେହେବୁବ ଥାନା ଅନ୍ତର୍ଗତ ଏକ ଘରୋଇ ଠିକାଦାରଙ୍କ ପାଖରେ କୋଠା ନିର୍ମାଣ କାମ ମଧ୍ୟ ପାଇଥିଲେ । କିନ୍ତୁ ହଠାତ ତାଙ୍କ ମୃତଦେହ ରେଳଲାଇନ ନିକଟରୁ ମିଳିଥିବା ଜଣାପଡିଛି ।

ପରିବାର ବର୍ଗଙ୍କ ସୂଚନା ଅନୁଯାୟୀ, ଦେବାନନ୍ଦ ସାଥି ଶ୍ରମିକମାନଙ୍କ କୌଣସି ସାମଗ୍ରୀ ନେବା ପାଇଁ ବଜାରକୁ ଯାଉଛି କହି ଘରୁ ବାହାରିଥିଲେ। ଦୀର୍ଘ ସମୟ ଧରି ସେନ ଫେରିବାରୁ ସାଥି ଶ୍ରମିକ ତାଙ୍କ ସହ ଯୋଗାଯୋଗ କରିଥିଲେ, ମାତ୍ର କୌଣସି ପତ୍ତା ମିଳିନଥିଲା । ପରେ ଶନିବାର ସକାଳୁ ହାଇଦ୍ରାବାଦ ସ୍ଥିତ ମେହେବୁବ ଥାନା ପସରା ରେଳ ଲାଇନ ନିକଟରେ ଦେବାନନ୍ଦଙ୍କ ମୃତଦେହ ଠାବ ହୋଇଥିଲା। ମୃତକଙ୍କ ନିକଟରେ ଥିବା ଆଧାର କାର୍ଡ ଓ ପାନ କାର୍ଡ ଭିତ୍ତିରେ ଠିକଣା ଜଣାପଡିଥିଲା । ସେଠାକାର ପୋଲିସ ପ୍ରଥମେ ଠିକାଦାର ଓ ପରେ ମୃତକଙ୍କ ସାଥି ଶ୍ରମିକମାନଙ୍କୁ ଡକାଇ ଚିହ୍ନଟ କରାଇବା ପରେ ସେମାନେ ଦେବାନନ୍ଦଙ୍କୁ ଚିହ୍ନି ପାରିଥିଲେ । ସେପଟେ ସ୍ଥାନୀୟ ଏକ ମେଡ଼ିକାଲରେ ଦେବାନନ୍ଦଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ତେବେ ମୃତଦେହ ଫେରାଇ ଆଣିବା ପାଇଁ ଅସହାୟ ବୃଦ୍ଧ ବାପା ମାଆ ପ୍ରଶାସନ ନିକଟରେ ନେହୁରା ହୋଇଛନ୍ତି ।

କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ହେଉଛି ଦାଦନ । ସରକାର ଅନେକ ଯୋଜନା କରୁଥିଲେ ସୁଦ୍ଧା କେତେକାଞ୍ଚଳରେ ଯୋଜନାର ସଠିକ ବିନିଯୋଗ ନ ହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ତେବେ ଗତ ୫ ଦିନ ମଧ୍ୟରେ ୪ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଜିଲ୍ଲାକୁ ଫେରିଥିବା ବେଳେ ଏହି ଘଟଣାକୁ ଦେଖିଲେ ଲାଗୁଛି ସରକାରଙ୍କ ଯୋଜନା କେବଳ କାଗଜ କଲମରେ ରହି ଯାଇଛି । କିନ୍ତୁ ତୃଣମୂଳ ସ୍ତରରେ ଆଜି ମଧ୍ୟ କାର୍ଯ୍ୟକାରୀ ହୋଇ ପାରୁନାହିଁ । ଯଦି ଗ୍ରାମାଞ୍ଚଳରେ ଲୋକଙ୍କୁ ସଠିକ କର୍ମ ଯୋଗାଇ ଦିଆଯାଇ ପାରନ୍ତା, ତାହେଲେ ଜିଲ୍ଲାରେ ଦାଦନ ସମସ୍ୟା ଉପରେ କିଛି କାଂଶରେ ରୋକ ଲଗା ଯାଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details