ଭବାନୀପାଟଣା: ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଜଣେ ୯ ବର୍ଷର ଝିଅକୁ ପଥରରେ ଛେଚି ହତ୍ୟା କରିଥିଲା ପଡ଼ୋଶୀ ମହିଳା । ଘଟଣାର ଦୀର୍ଘ ୫ ବର୍ଷ ପରେ ହତ୍ୟାକାଣ୍ଡରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛି । ନିଜ ପଡ଼ିଶା ଘର ଝିଅକୁ ପଥରରେ ଛେଚି ହତ୍ୟା କରିବା ପରେ ଏବେ ଜେଲର ଚାରିକାନ୍ଥ ଭିତରେ ପିଶାଚୀ ମହିଳା । ଆଜୀବନ କାରାଦଣ୍ଡ ସହିତ ୫୦ ହଜାର ଜରିମାନାରେ ଦଣ୍ଡିତ କଲେ କୋର୍ଟ ।
ସୂଚନା ଅନୁଯାୟୀ ଆଜି କଳାହାଣ୍ଡି ଜିଲ୍ଲା କୋର୍ଟରେ ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣୀ କରିଛନ୍ତି ଜିଲ୍ଲା ଦୌରାଜଜ୍ । ହତ୍ୟାକାଣ୍ଡ ଘଟଣାର ଶୁଣାଣୀ କରି ହତ୍ୟାକାରୀ ମହିଳାକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସରକାରୀ ଓକିଲ ଦେଇଥିବା ସୂଚନା ଅନୁଯାୟୀ, ଗତ ୨୦୧୮ ମସିହା ଡିସେମ୍ବର ୧୧ ତାରିଖ ଦିନ କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ଅନ୍ତର୍ଗତ ବାଲିସରା ଗାଁରେ ଘଟିଥିଲା ଏହି ହତ୍ୟାକାଣ୍ଡ । ସେହି ଗାଁର ସାଂଦୃ ମାଝୀ ଓ ମାଟି ମାଝୀ ନିଜ ପୁଅ ଝିଅଙ୍କୁ ଘରେ ଛାଡ଼ି ମାଟିଖାଲ ଗାଁରେ ଥିବା ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସାଂଦୃଙ୍କ ୧୨ ବର୍ଷର ପୁଅ କୃଷ୍ଣ ମାଝୀ ଓ ୯ ବର୍ଷର ଝିଅ ଇନ୍ଦୁ ମାଝୀ ଘରେ ଥିଲେ । ସେହିଦିନ ଅର୍ଥାତ ଡିସେମ୍ବର ୧୧ ତାରିଖ ଦିନ ବିଳମ୍ବିତ ରାତିରେ ସେହି ଗାଁର ସାନ୍ଧି ମାଝୀ ନାମକ ମହିଳା ସାଂଦୃଙ୍କ ୯ ବର୍ଷର ଝିଅ ଇନ୍ଦୁ ଶୋଇଥିବା ସମୟରେ ଉଠାଇ ନେଇ ଗାଁ ମୁଣ୍ଡରେ ପଥରରେ ଛେଚି ଅତି ନିର୍ମମ ଭାବେ ହତ୍ୟା କରିଥିଲା ।