କଳାହାଣ୍ଡି: ମନରେଗାରେ ମହାଦୁର୍ନୀତି । ପରିଶ୍ରମ ପରେ ବି ଭୋକରେ ଶ୍ରମିକ । ପୋଖରୀ ଖୋଳିଲେ, ହେଲେ ପାରିଶ୍ରମିକ ପାଇଁ ବିତିଗଲାଣି ବର୍ଷେ । ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା କଳାହାଣ୍ଡି-ଥୁଆମୂଳ ବ୍ଲକର ମୋତାଚୁଆଁ ଗାଁରୁ । ଗରିବ ଖଟିଖିଆଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଦୃଢ କରିବାକୁ 2005ରେ ଆରମ୍ଭ ହୋଇଥିଲା ମନରେଗା ଯୋଜନା । ହେଲେ ଏଠି ନିଯୁକ୍ତି ଦେଇ ଶ୍ରମିକଙ୍କ ଟଙ୍କା ଆତ୍ମସାତ କରାଯାଇଥିବାର ଅଭିଯୋଗ ହୋଇଛି ।
ଏହି ଗାଁରୁ ପାଖାପାଖି 50ଜଣ ହିତାଧିକାରୀଙ୍କୁ ଏହି ଯୋଜନା ସାମିଲ କରାଯାଇ ଜବ କାର୍ଡ ଦିଆଯାଇଛି । ଆଉ ଏହି ଯୋଜନା ମାଧ୍ୟମରେ ଏମାନଙ୍କୁ ବର୍ଷକୁ 100 ଦିନର କର୍ମ ନିଯୁକ୍ତି ପାଇଁ ସରକାର ପ୍ରତିଶ୍ରୃତିବଦ୍ଧ ହୋଇଥିଲେ । ସେହି ଅନୁସାରେ, ଏହି ହିତାଧିକାରୀଙ୍କୁ ପୋଖରୀ ଖୋଳିବାର କାମ ମିଳିଥିଲା । ହେଲେ କାମ ପୁରା ହେବାର ଗୋଟିଏ ବର୍ଷ ବିତିଗଲାଣି । ହେଲେ ଶ୍ରମିକଙ୍କୁ ଏଯାଏଁ ପାଉଣା ମିଳିପାରିନାହିଁ । ଆଉ ନିଜ ପାରିଶ୍ରମିକ ପାଇବା ପାଇଁ ଶ୍ରମିକମାନେ ପଞ୍ଚାୟତ ଅଫିସରୁ ବ୍ଲକ ଅଧିକାରୀଙ୍କୁ ଭେଟି ଅଭିଯୋଗ ଶୁଣାଇଛନ୍ତି । ହେଲେ କେହି ବି ଏମାନଙ୍କ ଅଭିଯୋଗ ଶୁଣିବାକୁ ନାରାଜ ।