ଓଡିଶା

odisha

ETV Bharat / state

ଠିକା ନିଯୁକ୍ତି ଉଚ୍ଛେଦ ଦାବି, ଆନ୍ଦୋଳନ ଚେତାବନୀ ଦେଲା ଶିକ୍ଷକ ସଂଘ - ଆନ୍ଦୋଳନ ଚେତାବନୀ ଦେଲା ଶିକ୍ଷକ ସଂଘ

ରାଜ୍ୟ ସରକାରଙ୍କ ଚୁକ୍ତି ଭିତ୍ତିକ ଠିକା ନିଯୁକ୍ତି ଉଚ୍ଛେଦ ବ୍ୟବସ୍ଥାରୁ ବାଦ ପଡ଼ିଛନ୍ତି ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ । ଏହାକୁ ବିରୋଧ କରି ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଖୋଲା ଚେତାବନୀ ଦେଇଛନ୍ତି । ଅଧିକ ପଢ଼ନ୍ତୁ

contractual school teachers warned for protest in kalahandi
ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ, ଆନ୍ଦୋଳନ ଚେତାବନୀ ଦେଲା ଶିକ୍ଷକ ସଂଘ

By

Published : Nov 5, 2022, 10:00 AM IST

ଭବାନୀପାଟଣା:ସ୍କୁଲ ଛାଡି ରାଜରାସ୍ତାକୁ ଓହ୍ଲାଇବେ ଶିକ୍ଷକ । ଚକ ବଦଳରେ ମାଇକ ଓ ଫ୍ଲାକକାର୍ଡ ଧରି କରିବେ ନିଜ ହକ ପାଇଁ ଲଢେଇ । ଶିକ୍ଷକଙ୍କ ସମସ୍ୟାକୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଶିକ୍ଷକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ କଳାହାଣ୍ଡି ଜିଲ୍ଲା ଶିକ୍ଷକ ଭବନ ଠାରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଚୁକ୍ତି ଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ

ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ପ୍ରାଥମିକ ଶିକ୍ଷକ ସାମିଲ ହୋଇଥିଲେ । ଅଭିଯୋଗ ଅନୁଯାୟୀ ପ୍ରାଥମିକ ବିଦ୍ୟାଳୟରେ ୨୦୦୧ ମସିହା ଠାରୁ ସ୍ବେଚ୍ଛାସେବୀ ଶିକ୍ଷା ସହାୟକ ଭାବରେ ନିଯୁକ୍ତ କରିଥିଲେ ରାଜ୍ୟ ସରକାର । ହେଲେ ଦୀର୍ଘ ବର୍ଷ ଧରି କାମ କଲା ପରେ ମଧ୍ୟ ଚୁକ୍ତି ଭିତ୍ତିକ ପଦବୀର ଅବଧି ଉଚ୍ଛେଦ ହୋଇପାରି ନାହିଁ । ଏହାସହ ବର୍ତ୍ତମାନ ସୁଦ୍ଧା ୬ଟି ଜାତୀୟ ଇଂକ୍ରିମେଣ୍ଟ ପ୍ରଦାନ କରାଯାଇ ନାହିଁ । ଗତ କିଛି ଦିନ ତଳେ ରାଜ୍ୟ ସରକାର ଚୁକ୍ତି ଭିତ୍ତିକ ଅବଧିକୁ ମୂଳ ଚାକିରୀରେ ମିଶାଇବା ଓ ୬ଟି ଇଂକ୍ରିମେଣ୍ଟ ଦେବା ପାଇଁ ଘୋଷଣା କରିଥିଲେ । ହେଲେ ସରକାରଙ୍କ ଏହି ଘୋଷଣାରୁ ପ୍ରାଥମିକ ଶିକ୍ଷକଙ୍କୁ ବାଦ ଦିଆଯାଇଛି । ଯାହାକୁ ନେଇ ଶିକ୍ଷକମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ପୁରୁଣା ପେନସନ ନୀତି ଲାଗୁ ଦାବିରେ ଶିକ୍ଷକ ସଂଘ ପକ୍ଷରୁ ଧାରଣା

ଏନେଇ କଳାହାଣ୍ଡିର ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ କହିଛନ୍ତି, "ସମାଜକୁ ଗଢିବାରେ ଯେଉଁ ଶିକ୍ଷକ ନିଜର ସର୍ବସ୍ୱ ସମର୍ପଣ କରି ନିରନ୍ତର ଏକ ଶିକ୍ଷିତ ସମାଜ ସୃଷ୍ଟି କରିବା ପାଇଁ ଲକ୍ଷ ରଖିଥାନ୍ତି ସେମାନଙ୍କ ହକର କଥାକୁ ସରକାର ନ ଶୁଣିବାରୁ ଶେଷରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଶିକ୍ଷକ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।" ସରକାର ଏଥିପ୍ରତି ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଜିଲ୍ଲାସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଆନ୍ଦୋଳନ ହେବ ବୋଲି ଶିକ୍ଷକ ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details