ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ବିଶ୍ଵନାଥପୁର ମା' ହୀରାନୀଳା ଡିଗ୍ରୀ କଲେଜର ମହାଦୁର୍ନୀତି ମାମଲା ହାଟରେ ପଡ଼ି ଦାଣ୍ଡରେ ଗଡୁଛି । ଏହି ଘଟଣାରେ ସାମ୍ବାଦିକ ସମ୍ମିଳନୀ କରି ବିଜେଡ଼ି ଉପରେ ବର୍ଷିଛି କଂଗ୍ରେସ । କଲେଜର ତତ୍କାଳୀନ ଅଧ୍ୟକ୍ଷ ରମେଶଚନ୍ଦ୍ର ସାହୁଙ୍କ ସମୟରେ କଲେଜରେ କୋଟି କୋଟି ଟଙ୍କାର ଆର୍ଥିକ ଅନିୟମିତତା ଅଭିଯୋଗ ହୋଇଆସୁଥିଲା । କଲେଜର ସମସ୍ତ ଆଇନ ଉଲ୍ଲଘଂନ କରି ବିନା ବିଜ୍ଞାପନ, ବିନା ସାକ୍ଷାତକାରରେ ମନଇଚ୍ଛା କର୍ମଚାରୀ ନିଯୁକ୍ତି ଦିଆଯାଉଥିବା ବୋଲି ଅଭିଯୋଗ କରିଛି କଂଗ୍ରେସ ।
ଏହା ସହିତ ପିଅନ ଚାକିରି କରାଇଦେବା ନାଁରେ ୧୭ରୁ ଅଧିକ ଯୁବକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ କରିଛି । ନାମଲେଖା, ଫର୍ମପୂରଣ, ବିନା କାରଣରେ ଲେଟ୍ ଫାଇନ୍ ସହିତ ପୁନଃ ନାମଲେଖା ନାଁରେ ମାତ୍ରାଧିକ ଅର୍ଥ ଆଦାୟ କରୁଥିଲେ । ଏଥିରେ କଲେଜର ଜଣେ ମହିଳା ପିଅନ ତପସ୍ବିନୀ ବାହୁକ ଅଭିଯୁକ୍ତ ଅଧ୍ୟକ୍ଷଙ୍କର ମୁଖ୍ୟ ସହଯୋଗୀ ଭାବେ ଏହି ଦୁର୍ନୀତିରେ ସାମିଲ ରହିଥିଲେ । ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବାରୁ ଅଭିଯୋଗ ସତ ପ୍ରମାଣିତ ହୋଇଛି । ବିଶ୍ବନାଥପୁର ପୋଲିସ ଏହି ଠକେଇ ମାମଲାରେ କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିଛି ।
କଲେଜରେ ଆର୍ଥିକ ଅନିୟମିତତା ସମ୍ପର୍କରେ ଭବାନୀପାଟଣା ଉପଜିଲ୍ଲାପାଳଙ୍କ ପକ୍ଷରୁ ତଦନ୍ତ ବେଳେ ମଧ୍ୟ ଅଭିଯୁକ୍ତ ଅଧ୍ୟକ୍ଷ, ପିଅନ ଓ ପରିଚାଳନା କମିଟି ବିରୋଧରେ ବ୍ୟାପକ ତଥ୍ୟ ମିଳିଛି । ଏହାପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶରେ ଅଭିଯୁକ୍ତ ଅଧ୍ୟକ୍ଷଙ୍କୁ ନିଲମ୍ବନ କରାଯାଇଥିଲା । ତାଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ ହେବା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ସେ ପୁଣି ଜେଲ୍ ଯାଇଥିଲେ।