ଓଡିଶା

odisha

ETV Bharat / state

ଦରଦାମ ବୃଦ୍ଧି ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ - କଳାହାଣ୍ଡିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଦରଦାମ ନିୟନ୍ତ୍ରଣ ଓ ଗ୍ୟାସ ଦର ହ୍ରାସ ନେଇ ରାଜରାସ୍ତାକୁ ଓହ୍ଲାଇଲା କଳାହାଣ୍ଡି ଜିଲ୍ଲା ମହିଳା କଂଗ୍ରେସ । ଅଧିକ ପଢ଼ନ୍ତୁ

କଳାହାଣ୍ଡିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ
congress protest in kalahandi

By

Published : Mar 4, 2023, 8:40 PM IST

ଦରଦାମ ବୃଦ୍ଧି ନେଇ କଳାହାଣ୍ଡିରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ଭବାନୀପାଟଣା:ଦେଶରେ ଦିନକୁ ଦିନ ଅହେତୁକ ଦରଦାମ ବୃଦ୍ଧି ପାଉଥିବା ବେଳେ ସାଧାରଣ ଖାଉଟିଙ୍କ ପକେଟ ଉପରେ ମାଡ଼ ପଡିଛି । ଗରିବ ଖଟିଖିଆଙ୍କ ହାଣ୍ଡିଶାଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଯାହାକୁ ନେଇ ରାଜନୀତି ଜୋର ଧରିଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଛି କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଆଜି (କଳାହାଣ୍ଡି)ରେ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

କଳାହାଣ୍ଡି ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲଙ୍କ ନେତୃତ୍ୱରେ ଜିଲ୍ଲା ମହିଳା କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ କଂଗ୍ରେସ କମିଟିର କର୍ମୀମାନେ ସାମିଲ ହୋଇ ଭବାନୀପାଟଣା ଠାରେ ଥିବା କଂଗ୍ରେସ ଭାବନରୁ ବିକ୍ଷୋଭ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ । ଷ୍ଟାଚ୍ୟୁ ଛକ ଠାରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଳି ମାରି କେନ୍ଦ୍ର ସରକାରଙ୍କ ଦର ବୃଦ୍ଧିକୁ ବିରୋଧ କରିଛନ୍ତି । କଂଗ୍ରେସର ଅଭିଯୋଗ ଅନୁଯାୟୀ, ଦେଶରେ ପେଟ୍ରୋଲ, ଡିଜେଲ, ଇନ୍ଧନ ଗ୍ୟାସ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ହୁ ହୁ ହୋଇ ବଢ଼ି ଚାଲିଛି । ମୁଢ଼ି, ଗୁଡ଼, ଖଇ ପ୍ରଭୃତି ଉପରେ ଜିଏସ୍‌ଟି ଲାଗୁ କରିବା ଫଳରେ ଗରିବ ଏବଂ ମଧ୍ୟମ ଶ୍ରେଣୀ ଲୋକ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ତେଣୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ଜନ ମାରଣା ନୀତିରେ ରାଜ୍ୟ ଭାଗୁଆଳି ସାଜିଛି ବୋଲି ଦଳ ଅଭିଯୋଗ କରିଛି ।

କଂଗ୍ରେସ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, "୨୦୧୪ ମସିହାରେ ନରେନ୍ଦ୍ର ମୋଦି ସରକାର ଭାରତବର୍ଷର ଜନସାଧାରଣଙ୍କୁ "ଅଚ୍ଛେଦିନ"ର ସ୍ବପ୍ନ ଦେଖାଇଥିଲେ । କିନ୍ତୁ ଏହି ୮ବର୍ଷ ଭିତରେ ଅଚ୍ଛେଦିନ ପରିବର୍ତ୍ତେ ଭାରତର ଜନସାଧାରଣ ଦୁର୍ବିସହ ଜୀବନ ବିତାଉଛନ୍ତି । ୨୦୧୪ ମସିହାରେ ୧୫.୨ କେଜି ଘରୋଇ ଇନ୍ଧନ ଗ୍ୟାସର ଦାମ ଓଡ଼ିଶାରେ ୪୧୦ ଟଙ୍କା ଥିବାବେଳେ ଆଜି ଏହା ୧୧୩୦ ଟଙ୍କା ପାର ହୋଇ ସାରିଲାଣି । ପେଟ୍ରୋଲ, ଡିଜେଲର ଦାମ ୧୦୦ ଟଙ୍କାକୁ ଅତିକ୍ରମ କରିସାରିଛି । ଲୋକଙ୍କର ସର୍ବନିମ୍ନ ଆବଶ୍ୟକତା ଚୂଡ଼ା, ମୁଢ଼ି, ଗୁଡ଼, ଚାଉଳ, ଚୂନା, ପନିର, ଅଟା, ପେନସିଲ, କଟର ଖାତା ଇତ୍ୟାଦି ଉପରେ ମଧ୍ୟ ୫% ଜିଏସଟି ଲଗାଇବାକୁ ଭୁଲିଲେ ନାହିଁ କେନ୍ଦ୍ର ସରକାର । କିନ୍ତୁ ଜନସାଧାଣରଙ୍କୁ ଏଭଳି ମହଙ୍ଗା ମାଡ଼ରୁ ରକ୍ଷା କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୌଣସି ଠୋସ ପଦକ୍ଷେପ ନେଉନାହାନ୍ତି । ଯାହାକୁ ନେଇ କଂଗ୍ରେସ ରାଜ ରାସ୍ତାକୁ ଓହ୍ଲାଇଛି ।" ଆସନ୍ତା ଦିନରେ ଅହେତୁକ ଦର ବୃଦ୍ଧି ଉପରେ ରୋକ ନ ଲାଗିଲେ ଆନ୍ଦୋଳନ ତୀବ୍ର ହେବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details