ଭୁବନେଶ୍ବର: ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ହେବା ପରେ ସାରା ଦେଶରେ କଂଗ୍ରେସ ପକ୍ଷରୁ ଏହାକୁ ତୀବ୍ର ବିରୋଧ କରାଯାଉଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଳାହାଣ୍ଡି କଂଗ୍ରେସ । ଜିଲ୍ଲା କଂଗ୍ରେସ ପକ୍ଷରୁ ଭବାନୀପାଟଣା କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇହୋଇଥିଲା । ଯେଉଁଥିରେ କଂଗ୍ରେସ ନେତା ବିଦୁ ଭୁଷଣ ତ୍ରିପାଠୀ ଯୋଗ ଦେଇ କେନ୍ଦ୍ର ସରକାରଙ୍କ କାର୍ଯ୍ୟ କଲାପକୁ ତୀବ୍ର ନିନ୍ଦା କରିଥଲେ । କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରି ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତାକୁ ଅଯୋଗ୍ୟ ଘୋଷଣା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଦେଶରେ ବିରୋଧୀ ଦଳର ସ୍ୱରକୁ ଚପାଇ ଦେବାକୁ ଉଦ୍ୟମ କରୁଛି କେନ୍ଦ୍ର ବିଜେପି ସରକାର । ଯାହାକୁ କଂଗ୍ରେସ ବିରୋଧ କରିବା ସହ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଥିଲେ ବିଦୁ ଭୁଷଣ।
ସେହିପରି ସମାନ ଘଟଣାକୁ ନେଇ ବଲାଙ୍ଗୀର ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଜେପି ଏକ ଛତ୍ରବାଦ ଶାସନ କରୁଛି ବୋଲି କହିଥିଲା କଂଗ୍ରେସ । ଏକ ମାନହାନି ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦକୁ ନେଇ ପ୍ରଶ୍ନ କରିଥିଲା ଜିଲ୍ଲା କଂଗ୍ରେସ । ବଲାଙ୍ଗୀର ଜିଲ୍ଲା କଂଗ୍ରେସର ପର୍ଯ୍ୟବେକ୍ଷକ ଥିବା ବରଗଡ଼ ଜିଲ୍ଲାର କଂଗ୍ରେସ ନେତା ଅନନ୍ତ ସ୍ୱାଇଁ ଏହି ସାମ୍ବାଦିକ ସମ୍ମିଳନୀର ସଭାପତିତ୍ୱ କରିଥିଲେ । ଏକ ଭାଷଣକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦୁଇ ବର୍ଷର ସଜା ଶୁଣାଇଛନ୍ତି । ଯାହା 1947 ପରେ ଭାରତରେ ପ୍ରଥମ ବୋଲି ସେ ମତରଖିଥିଲେ ।