ଓଡିଶା

odisha

By

Published : Aug 7, 2023, 7:46 PM IST

ETV Bharat / state

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ! ସାର୍ଟିଫିକେଟ ଦିଆଯାଉନଥିବା ଅଭିଯୋଗ

ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ବିଶ୍ବବିଦ୍ୟାଳୟ ପ୍ରମାଣପତ୍ର ମିଳିନଥିବାରୁ ଅସନ୍ତୋଷ ବଢୁଛି। ଏନେଇ ତୁରନ୍ତ ସାର୍ଟିଫିକେଟ୍ ପ୍ରଦାନ କରିବା ପାଇଁ ଦାବି କରିଛି ଜିଲ୍ଲା ବିଜେଡି। ଅଧିକ ପଢନ୍ତୁ

ସାର୍ଟିଫିକେଟ ଦିଆଯାଉନଥିବା ଅଭିଯୋଗ
ସାର୍ଟିଫିକେଟ ଦିଆଯାଉନଥିବା ଅଭିଯୋଗ

ସାର୍ଟିଫିକେଟ ଦିଆଯାଉନଥିବା ଅଭିଯୋଗ

ଭବାନୀପାଟଣା:ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ବିଶ୍ବବିଦ୍ୟାଳୟ ପ୍ରମାଣପତ୍ର ମିଳିନଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏନେଇ କଳାହାଣ୍ଡି ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ଏକ ପ୍ରତିନିଧି ଦଳ କଳାହାଣ୍ଡି ବିଶ୍ବବିଦ୍ୟାଳୟ କୁଳ ସଚିବ ପୀତାମ୍ବର ଭୋଇ ଏବଂ ପିଜି କାଉନସିଲ ଅଧ୍ୟକ୍ଷ ମେଜର ଡକ୍ଟର ଜୟଦେବ ସାହୁଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ବରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁଙ୍କ ସମେତ ଅନେକ ବିଜେଡି ନେତା କୁଳସଚିବଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ପାଠ ପଢିଥିବା ସ୍ନାତକ ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର ଶୀଘ୍ର ପ୍ରଦାନ ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରିଛନ୍ତି ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର ।

ସୂଚନା ଅନୁଯାୟୀ, ଭବାନୀପାଟଣା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟକୁ ରାଜ୍ୟ ସରକାର ୨୦୧୯ ମସିହାରେ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଥିଲେ । କଳାହାଣ୍ଡି ବିଶ୍ବବିଦ୍ୟାଳୟରେ କଳାହାଣ୍ଡି ଏବଂ ନୂଆପଡ଼ା ଜିଲ୍ଲାର ୫୦ଟି କଲେଜ ଅନୁବନ୍ଧିତ ହେବା ସହ ୨୦୨୦ ମସିହାରୁ ନୂତନ ଭାବେ ପାଠପଢ଼ା ଆରମ୍ଭ ହୋଇଥିଲା । ତେବେ ୨୦୧୭ରୁ ଆରମ୍ଭ କରି ୨୦୨୦ ମସିହା ମଧ୍ୟରେ ଯେଉଁମାନେ ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧୀନରେ ଥିବା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ନାମ ଲେଖାଇ ୨୦୨୦, ୨୦୨୧ ଏବଂ ୨୦୨୨ ମସିହାରେ ସ୍ନାତକ ପାସ୍ କରିଥିଲେ ସୁଦ୍ଧା ସେମାନଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ବବିଦ୍ୟାଳୟ ପ୍ରମାଣପତ୍ର ପ୍ରଦାନ କରିନାହିଁ ।

ସେହିପରି ୨୦୧୯-୨୧ ମସିହା ବ୍ୟାଚ୍‌ର ସ୍ନାତକୋତ୍ତର ଛାତ୍ରଛାତ୍ରୀ ମଧ୍ୟ ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରମାଣପତ୍ର ପାଇବାରୁ ବଞ୍ଚିତ ହୋଇଛନ୍ତି । ଏପରିକି ପ୍ରମାଣପତ୍ର ନଥିବା ଯୋଗୁଁ ଅନେକ ଛାତ୍ରଛାତ୍ରୀ ରାଜ୍ୟ ବାହାରେ ଥିବା ବିଭିନ୍ନ ବିଶ୍ବବିଦ୍ୟାଳୟରେ ପିଏଚ୍‌ଡି ତଥା ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏନେଇ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ କଳାହାଣ୍ଡି ବିଶ୍ବବିଦ୍ୟାଳୟ ତରଫରୁ ଛାତ୍ରଛାତ୍ରୀଙ୍କ ପ୍ରମାଣପତ୍ର କିଭଳି ମିଳିପାରିବ ସେନେଇ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନଥିବାରୁ ପୁରାତନ ଛାତ୍ରମାନଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି ।

ଏହା ବି ପଢନ୍ତୁ...Fake Certificate: ଖୋର୍ଦ୍ଧାରେ ନକଲି ସାର୍ଟିଫିକେଟ କାରବାର କରି ଅଧ୍ୟାପକ ଗିରଫ

ଆଗାମୀ ଦିନରେ ଏହି ଅସନ୍ତୋଷ ଏକ ବଡ଼ ବିକ୍ଷୋଭରେ ପରିଣତ ହେବାକୁ ବସିଛି । ତେବେ ଏହି ସମସ୍ୟାର ସମାଧାନ ୧୫ ଦିନ ମଧ୍ୟରେ କରିବା ନେଇ ଦାବି କରିଛନ୍ତି ଛାତ୍ରଛାତ୍ରୀ । ସମସ୍ୟାର ସମାଧାନ ନହେଲେ ଛାତ୍ରଛାତ୍ରୀ ଧାରଣାମାନେ ଦେବାସହ ଅନ୍ୟାନ୍ୟ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି । ସେପଟେ ଛାତ୍ରଛାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ବିଜେଡିର ରାଜ୍ୟ କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ବରେ ଜିଲ୍ଲା ଛାତ୍ର ବିଜେଡି ସଭାପତି ଅଜିତ ସାହୁଙ୍କ ସମେତ ଅନେକ ବିଜେଡି ନେତା କୁଳସଚିବଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details