କଳାହାଣ୍ଡି: ପୁଣି ନିଜ ପୂର୍ବ ଗୌରବ ଫେରି ପାଇବ କଳାହାଣ୍ଡି । ପୁଣି ଥରେ ଜିଲ୍ଲାରେ ଚହଟିବ କଫି ଚାଷ । ୧୯୮୦ ମସିହାରେ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର କଫି ଚାଷକୁ ନେଇ ରାଜ୍ୟ ତଥା ଦେଶରେ ଚର୍ଚ୍ଚାରେ ରହିଆସିଥିଲା । କିନ୍ତୁ, ତତ୍କାଳୀନ ସରକାରୀ କଳର ଅବହେଳା ଯୋଗୁଁ ଏହି ଅଞ୍ଚଳରେ ଲୋପ ପାଇବାକୁ ବସିଥିଲା କଫି ଚାଷ । ଯାହାର ଜ୍ଵଳନ୍ତ ଉଦାହରଣ ଥୁଆମୂଳ ରାମପୁର ରାସ୍ତା ଉପରେ ଥିବା ଏହି କଫି ଗଛ । ତେବେ ବର୍ତ୍ତମାନ ମଧ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ୨୦ରୁ ଉର୍ଦ୍ଧ୍ବ କଫି ଗଛ ଏହି ଅଞ୍ଚଳର କଫି ଇତାହାସର ମୁକସାକ୍ଷୀ ।
ତେବେ ଦୀର୍ଘ ବର୍ଷ ପରେ ପୁଣି କଫି ଚାଷ ଆରମ୍ଭ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି । ଏନେଇ ନୂତନ ଜିଲ୍ଲାପାଳ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଥୁଆମୂଳ ରାମପୁର ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୧୯୩ ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ କଫି ଚାଷ କରାଯିବ ବୋଲି ସୂଚନା ଦିଆଯିବା ପରେ କଫି ଚାଷୀଙ୍କ ମଧ୍ୟରେ ପୁଣି ନୂଆ ଆଶା ସଞ୍ଚାର ହୋଇଛି । ଏହାକୁ ନେଇ ଓଡ଼ିଶା କଫି ମିଶନ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ନିମନ୍ତେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
ଓଡ଼ିଶାର କୋରାପୁଟ କଫି ଦେଶ ତଥା ବିଦେଶରେ ବେଶ ସୁନାମ ଅର୍ଜନ କରିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ବିପଣନ ବ୍ୟବସ୍ଥା ଯୋଗୁଁ ଏହା ବେଶ ଆଦର ଲାଭ କରିଛି । କୋରାପୁଟ କଫି ପରେ କଳାହାଣ୍ଡି ଜିଲ୍ଲାରେ ପୁଣି କଫି ଚାଷ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।