ନଭେମ୍ବର ପହିଲାରେ ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ସଜେଇ ହେଲାଣି ଜିଲ୍ଲା ଭବାନୀପାଟଣା: ଆସନ୍ତା ନଭେମ୍ବର ୧ କଳାହାଣ୍ଡି ପ୍ରତିଷ୍ଠା ଦିବସ । ସେହି ଦିନ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଯାହାକୁ ନେଇ ଉତ୍ସବମୁଖର ହୋଇଉଠିଛି ବିଜେଡି ଶିବିର ଏହାସହ ଉତ୍ସାହିତ ଜିଲ୍ଲାବାସୀ । କାରଣ ପ୍ରତିଷ୍ଠା ଦିବସରରେ କଳାହାଣ୍ଡିବାସୀଙ୍କୁ ପ୍ରାୟ ୧୨୦୦କୋଟି ଟଙ୍କାର ଭେଟି ଦେବାର କାର୍ଯ୍ୟକ୍ରମ ରହିଛି । ଯାହାକୁ ନେଇ ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଥିବା ଦେଖିବାକୁ ମିଳିଛି ।
ଏହାସହ ଦୀର୍ଘ ୨ଦଶନ୍ଧି ଧରି ଜିଲ୍ଲାବାସୀ ଦେଖିଥିବା ବହୁ ପ୍ରତିକ୍ଷୀତ ସ୍ବପ୍ନ ପୂରଣ ହେବ । ଭଙ୍ଗାବାରି ଠାରେ ନିର୍ମାଣ ହୋଇଥିବା ମେଡିକାଲ କଲେଜକୁ ମଧ୍ୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ୧୧.୩୦ରେ ମେଡିକାଲ କଲେଜର ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିବେ । ମେଡିକାଲ କଲେଜର ଅଡିଟୋରିଅମରେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ଏହା ବି ପଢନ୍ତୁ- LAccMI Bus Scheme: ଗଜପତିରେ ଗଡିଲା ଲକ୍ଷ୍ମୀ ବସ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ୧୧ଟା ୪୧ ମିନିଟରେ ସହିଦ ରେଣ୍ଡୋ ମାଝୀ ମେଡିକାଲ କଲେଜକୁ ଉଦଘାଟନ କରିବେ । ଏହାପରେ ମୁଖ୍ୟମନ୍ତ୍ରୀ ଦୁଇଜଣ ଛାତ୍ରଙ୍କ ସହ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ଅଛି । ମେଡିକାଲ କଲେଜ ପରିସରରେ ଉଦଘାଟନୀ ସଭା ସମାପ୍ତ ପରେ ୧୧.୫୫ ମିନିଟରେ ଲକ୍ଷ୍ମୀ ବସର ଶୁଭ ଉଦଘାଟନ ପାଇଁ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପଡ଼ିଆରେ ପହଞ୍ଚିବେ । ଅପରାହ୍ନ ୧୨ଟା ୩୦ରେ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଲକ୍ଷ୍ମୀ ବସ୍ର ଶୁଭ ଉଦଘାଟନ କରିବେ । ତତ୍ ସଙ୍ଗେ ସଙ୍ଗେ ପ୍ରାୟ ୧୨୦୦ କୋଟି ଟଙ୍କାର ବୃହତ ପ୍ରକଳ୍ପଗୁଡିକର ଶିଳାନ୍ୟାସ ଓ ଶୁଭ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ବିଶ୍ବବିଦ୍ୟାଳୟରେ ପଡ଼ିଆରେ ସଭା ମଞ୍ଚ ନିର୍ମାଣ ଜୋରସୋରରେ ଚାଲିଛି ।
ସୂଚନା ଥାଉ କି ଚଳିତ ମାସ ଅକ୍ଟୋବର ୨୦ ତାରିଖରେ ଗଜପତିରେ ଗଡ଼ିଛି ଲକ୍ଷ୍ମୀ ବସ୍ । ଗାଁ ଲୋକଙ୍କୁ ପଞ୍ଚାୟତ, ବ୍ଲକ ଏବଂ ଜିଲା ସଦରମହକୁମା ଯାଏଁ ଗମନାଗମନର ସୁବିଧା ଯୋଗାଇ ଦେବା ଲକ୍ଷ୍ୟ ରଖି ରାଜ୍ୟ ସରକାରଙ୍କ ଦ୍ବାରା ଏହି ଯୋଜନାକୁ ଆରମ୍ଭ କରାଯାଇଛି । ଏନେଇ ଭିସି ମାଧ୍ୟମରେ ଗଜପତିର ପାରଳାଖେମୁଣ୍ଡିଠାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା ମାଧ୍ୟମରେ ଗଜପତି ଜିଲ୍ଲାକୁ ୩୬ଟି ବସ୍ ଆସିଥିବା ବେଳେ ସେଥିରୁ ପ୍ରଥମ ପର୍ଯ୍ୟାୟରେ ୨୯ଟି ବସ୍ ଚଳାଚଳ ଆରମ୍ଭ ହୋଇଛି ।
ଇଟିଭି ଭାରତ, କଳାହାଣ୍ଡି