ଭବାନୀପାଟଣା:ବିଜୁ ବାବୁଙ୍କ ୧୦୭ତମ ଜୟନ୍ତୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶା ଗସ୍ତ କରି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛି । ଏହାରି ମଧ୍ୟରେ ମୁଖ୍ୟମନ୍ତ୍ରୀ ଦିନିକିଆ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରି ପ୍ରାୟ ୫୨୭ କୋଟି ଟଙ୍କା ବ୍ୟୟର ନିର୍ମିତ ପ୍ରକଳ୍ପର ଉଦଘାଟନ କରିବା ସହିତ ୧୫୭୩ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାଦ୍ବାରା ଜିଲ୍ଲାବାସୀଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ବିଜୁ ଏକ୍ସପ୍ରେସ ରାସ୍ତାର ଲୋକାର୍ପଣ କରିଛନ୍ତି ।
୨୦୨୩ ପ୍ରଥମ ଦୁଇ ମାସରେ ମୁଖ୍ୟମନ୍ତ୍ରୀଙ୍କ ଏହା ପଶ୍ଚିମ ଓଡ଼ିଶା ଗସ୍ତ ହୋଇଛି । ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରି ବିଜୁ ଏକ୍ସପ୍ରେସ ୱେର ଲୋକାର୍ପଣ କରିଛନ୍ତି । ରାଉରକେଲାରୁ ଆମପାଣିକୁ ସଂଯୋଗ କରୁଥିବା ୫୪୬ କିମି ଦୈର୍ଘ୍ୟ ବିଶିଷ୍ଟ ୪ ଲେନ୍ ବିଜୁ ଏକ୍ସପ୍ରେସ ୱେ ନିର୍ମାଣ କରାଯାଇଛି । ସେଥିରୁ ୨୦୨୨-୨୩ରେ ୬୦୦ କୋଟି ଟଙ୍କା ବ୍ୟୟରେ ଶେଷ ପର୍ଯ୍ୟାୟରେ ନୂଆପଡା ଘାଟିପଡ଼ାଠାରୁ ଆମପାଣି ପର୍ଯ୍ୟନ୍ତ ୧୭୬କିମି ରାସ୍ତାର ନିର୍ମାଣ ହୋଇଛି । ସେଥିରୁ ନୂଆପଡା ଜିଲ୍ଲାର ସଦର ବ୍ଲକ ସାହିପଳାରୁ ସିନାପାଲି ବ୍ଲକର ଧିଙ୍ଗିଆମୁଣ୍ଡା ପର୍ଯ୍ୟନ୍ତ ୧୨୧ କିମି ପର୍ଯ୍ୟନ୍ତ ରାସ୍ତା ରହିଛି ।
ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଜିଲ୍ଲାର ଗୋଲାମୁଣ୍ଡା ବ୍ଲକର ବୃନ୍ଦାବାହାଲ ଖେଳ ପଡିଆଠାରେ ଦିନ ୩ଟା ସମୟରେ ଅବତରଣ କରିବା ପରେ ସେଠାରୁ ମଞ୍ଚରେ ପହଞ୍ଚିଥିଲେ । ମଞ୍ଚରେ ମୁଖ୍ୟମନ୍ତ୍ରୀ ପହଞ୍ଚିବା ପରେ ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ପ୍ରଥମେ ଜୟ ମା' ଭଣ୍ଡାରଘରେ ନାରାରୁ ଆରମ୍ଭ ହୋଇଥିଲା ନବୀନଙ୍କ ଅଭିଭାଷଣ । ଏହି ବିଜୁ ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଅନ୍ୟତମ ବାହକ ହେବା ସହ ଶିଳ୍ପାନୁଷ୍ଠାନ ସ୍ଥାପନ ହେବ ଯାହା ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ।