ଭବାନୀପାଟଣା:କଳାହାଣ୍ଡି ଜିଲ୍ଲାରେ ଗଢି ଉଠିବାକୁ ଯାଉଛି ଶିଳ୍ପ ପ୍ରତିଷ୍ଠାନ । ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶିଳ୍ପ ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ୩ଟି ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଇଡ଼କୋକୁ ୧୬୦ ଏକର ଜମି ହସ୍ତାନ୍ତର କରିଥିବା ବେଳେ ପ୍ରାୟ ୧୫୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଯାଉଥିବା ଜଣାପଡ଼ିଛି । ଏହି ଶିଳ୍ପାନୁଷ୍ଠାନ ଗଢି ଉଠିବା ପରେ ଜିଲ୍ଲାର ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ସ୍ଥାନୀୟ ଯୁବପିଢି ନିଯୁକ୍ତି ପାଇବେ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ ସରକାର ମେକ ଇନ ଓଡ଼ିଶା ମାଧ୍ୟମରେ ଦେଶ ତଥା ଦେଶ ବାହାରର ଅନେକ କମ୍ପାନୀକୁ ଆଣି ରାଜ୍ୟରେ ପୁଞ୍ଜି ନିବେଶ କରାଉଥିବା ବେଳେ ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠାନ ଗଠି ଉଠିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି । ତେବେ ଜିଲ୍ଲାର ଜୁନାଗଡ଼ ବ୍ଲକ ଅନ୍ତର୍ଗତ ତଳଜାରିଙ୍ଗ ଅଞ୍ଚଳର ବିକାଶକୁ ନେଇ ଏଠାରେ ସ୍ଥାପନ ହେବାକୁ ଯାଉଛି ଶିଳ୍ପ ପ୍ରତିଷ୍ଠାନ । କଳାହାଣ୍ଡି ଜିଲ୍ଲା ଧାନଶସ୍ୟ ଉତ୍ପାଦନରେ ରାଜ୍ୟରେ ଦ୍ବିତୀୟ ସ୍ଥାନ ଅଧିକାରୀ କରିଥିବା ବେଳେ ଅନେକ ସମୟରେ ମଣ୍ଡି ଚାଷୀ ଧାନ ବିକ୍ରି କରିନପାରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ହେଲେ ଏବେ ଚାଷୀଙ୍କ ସେହି ସମସ୍ୟା ସମସ୍ୟାର ସାମାଧାନ ସହ ଜିଲ୍ଲାର ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ଜିଲ୍ଲାରେ ସ୍ଥାପନ ହେବାକୁ ଯାଉଛି ଇଥାନଲ ପ୍ଲାଣ୍ଟ । ଏହି ପ୍ଲାଣ୍ଟରେ ଚାଷୀଙ୍କ ଠାରୁ ବକେୟା ଧାନକୁ କ୍ରୟ କରି ସେଠାରୁ ପଟାସ ସାର ବାହାର କରି ରାଜ୍ୟ ଓ ରାଜ୍ୟ ବାହାରକୁ ଯୋଗାଣ କରିବ ଏହି କମ୍ପାନୀ । ଏହାସହ ଅଞ୍ଚଳର ଅନେକ ବେରୋଜଗାର ଯୁବକ ଯୁବତୀ ଏହି କମ୍ପାନୀରେ ନିଯୁକ୍ତ ହେବେ । ଫଳରେ ଅଞ୍ଚଳରେ ବିକାଶ ହେବ ବୋଲି ଶିଳାନ୍ୟାସ ସଭାରେ ସୂଚନା ଦେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ ଓ ଜିଲ୍ଲାପାଳ ।