ଭବାନୀପାଟଣା: ସିଏଚଏସଇ ପକ୍ଷରୁ ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ପରୀକ୍ଷାରେ ସୌରଭ କୁମାର କଳାହାଣ୍ଡି ଜିଲ୍ଲା ଟପ୍ପର ହୋଇଛନ୍ତି । ସେ ବିଜ୍ଞାନରେ 576 ମାର୍କ ରଖିଛନ୍ତି । ସୌରଭ କୁମାର ଭବାନୀପାଟଣା ସ୍ଥିତ ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ।
ସୌରଭଙ୍କ ଘର କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଆମ୍ବଦୁଲା ହୋଇଥିବା ବେଳେ ସେ ହଷ୍ଟେଲରେ ରହି ପାଠ ପଢୁଥିଲେ । ନିଜର କଠିନ ପରିଶ୍ରମ ପାଇଁ ସେ ଦଶମ ଶ୍ରେଣୀ ପରୀକ୍ଷାରେ ମଧ୍ୟ ୯୦ ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହେବା ସହିତ କଳାହାଣ୍ଡି ଜିଲ୍ଲା ଟପ୍ପର ମଧ୍ୟ ହୋଇଥିଲେ । ଆଉ ସେହି ପରିଶ୍ରମ ସେ ଯୁକ୍ତ ଦୁଇ ପଢାରେ ମଧ୍ୟ ଜାରି ରଖିଥିଲେ । ଫଳରେ ୫୭୬ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି । ସେ ଦିନକୁ ୬ ରୁ ୭ ଘଣ୍ଟା କଠିନ ପରିଶ୍ରମ କରୁଥିଲେ । ଭବିଷ୍ୟତରେ ଭାରତୀୟ ସିଭିଲ ସର୍ଭିସରେ ଯୋଗ ଦେବା ପାଇଁ ଲକ୍ଷ୍ୟ ରଖିଥିବା କହିଛନ୍ତି ସୌରଭ ।