ଭୁବନେଶ୍ବର: ଆନ୍ତଃରାଜ୍ୟ ସୀମାରେ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ ହେବ ଚେକ୍ପୋଷ୍ଟ । ଚେକିଂ କଡାକଡି କରାଯିବ । ଜିଲ୍ଲାକୁ ପ୍ରବେଶ କରୁଥିବା ଲୋକଙ୍କର କୋଭିଡ ରିପୋର୍ଟ ଚେକ କରାଯିବ । ୭୨ ଘଣ୍ଟା ମଧ୍ୟରେ କରାଯାଇଥିବା କୋଭିଡ ଟେଷ୍ଟର ନେଗେଟିଭ ରିପୋର୍ଟ ଦେଖାଇବା ପରେ ଛଡ଼ାଯିବ । ଯେଉଁମାନେ ଆଗରୁ ପରୀକ୍ଷା କରି ନଥିବେ ସେମାନଙ୍କୁ ଚେକ୍ପୋଷ୍ଟରେ ଟେଷ୍ଟ କରାଯିବାକୁ ବ୍ୟବସ୍ଥା କରାଯାଇ କଳାହାଣ୍ଡି ଜିଲ୍ଲାକୁ ପ୍ରବେଶ କରିବାକୁ ଦିଆଯିବ । କଳାହାଣ୍ଡି ଜିଲ୍ଲାର କୋଭିଡ ପରିସ୍ଥିତିର ସମୀକ୍ଷା କରିଛନ୍ତି ଗୃହରାଷ୍ଟ୍ରମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର । ଭର୍ଚୁଆଲରେ ଜିଲ୍ଲାର କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମନ୍ତ୍ରୀ ।
ଆଗକୁ କୋଭିଡ୍ ଟେଷ୍ଟିଂ ସେଣ୍ଟର ସଂଖ୍ୟା ବୃଦ୍ଧି କରିବା ସହ ଟେଷ୍ଟିଂକୁ ମଧ୍ୟ ବଢ଼ାଇବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ସେହିପରି ରାତ୍ରିକାଳୀନ କର୍ଫ୍ୟୁକୁ କଡ଼ାକଡ଼ି କରାଯିବା ସହ ଅମାନିଆଙ୍କୁ ସମୁଚିତ ଦଣ୍ଡବିଧାନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।ଏପରିକି ଦିନବେଳେ ବଜାର, ରାସ୍ତାଘାଟରେ ବିନ ମାସ୍କ କିମ୍ବା ଅଯଥା ଗହଳି କରୁଥିଲେ ସଂପୃକ୍ତ ବ୍ୟବସାୟିକ ସଂସ୍ଥାକୁ ସିଲ୍ କରିବାକୁ କୁହାଯାଇଛି । ବିଶେଷ ଭାବେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରିବାକୁ ଗୁରୁତ୍ବ ଦିଆଯାଇଛି । ଫଳରେ ଅନ୍ୟମାନେ ହଇରାଣ ହେବେ ନାହିଁ । ଯେଉଁମାନେ ହୋମ୍ ଆଇସୋଲେସନ୍ରେ ରହିଛନ୍ତି ସେମାନଙ୍କୁ ନିୟମିତ ବ୍ୟବଧାନରେ ଚିକିତ୍ସା ଉପଲବ୍ଧ କରିବାକୁ ପରାମର୍ଶ ଦିଆଯାଇଛି ।