ଭବାନୀପାଟଣା:ଋତୁରାଜ ବସନ୍ତର ଆଗମନରେ ହସି ଉଠୁଛି ପ୍ରକୃତିରାଣୀ । ପହିଲି ଆମ୍ବ ବଉଳର ମହୁଲି ବାସ୍ନାରେ ପ୍ରକୃତି ମନରେ ଉନ୍ମାଦନା ସୃଷ୍ଟି ହୋଉଛି । ମୃଦୁ ମଳୟ ସାଙ୍ଗକୁ କୋଇଲିର କୁହୁକୁହୁ ରାବ ପରିବେଶରେ ଏକ ପ୍ରେମର ବାର୍ତ୍ତା ଦେଉଛି । ପତ୍ରଝଡ଼ା ପରେପରେ ବୃକ୍ଷରାଜି ନବପଲ୍ଲବ ଧାରଣ କରୁଛନ୍ତି । ଫଗୁଣ ମାସରେ ଆମ୍ବଗଛରେ ପେନ୍ଥାପେନ୍ଥା ହୋଇ ଝୁଲୁଥିବା ବଉଳ ନିଜକୁ ପୁଷ୍ପବତୀ ଫଳବତୀ କରିବାକୁ ପ୍ରସ୍ତୁତ ହେଉଛନ୍ତି । ପ୍ରକୃତିର କୋଳରେ ସଜେଇ ହୋଇଥିବା ବଉଳର ମହମହ ବାସ୍ନା ଆନମନା ଭରି ଦେଉଛି ।
ଏହା ମଧ୍ୟ ପଢ଼ନ୍ତୁ:ପାତାପର୍ବକୁ ନେଇ ଉତ୍ସବମୁଖର ବୋବେଇଯୋଡା ଗାଁ, ସ୍ଵଚ୍ଛତା ସାଙ୍ଗକୁ ଦେଲେ ପରମ୍ପରାର ବାର୍ତ୍ତା
ପ୍ରକୃତିର ଗନ୍ନାଘର କଳାହାଣ୍ଡି ଜିଲ୍ଲା । ବସନ୍ତର ଆଗମନରେ ରାସ୍ତା କଡ଼ରେ ଥିବା ଆମ୍ବ ଗଛ ଗୁଡିକରେ ବଉଳ ଆସିଛି । ଆମ୍ବ ଗଛରେ ପେନ୍ଥାପେନ୍ଥା ଝୁଲୁଥିବା ବଉଳ ସମ୍ପୂର୍ଣ୍ଣ ପରିବେଶକୁ ମହକାଇ ଦେଉଛି । ଯାହା ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ । ଏହି ଦୃଶ୍ୟକୁ ଉପଭୋଗ କରିବା ପାଇଁ ବାଟରେ ଯାଉଥିବା ପଥିକ ଟିଏ ବି ଘଡ଼ିଏ ଅଟକି ଯାଉଛି । କ୍ଳାନ୍ତି ଦୂର ପାଇଁ ବାଟୋଇଟିଏ ଗଛ ମୂଳେ କ୍ଷଣିଟିଏ ବସି ପଡିଲେ ମନରେ ଅସୁମାରୀ ଶାନ୍ତି ଆସି ଯାଉଛି । ଆମ୍ବ ବଉଳର ବାସ୍ନା ସାଙ୍ଗକୁ କୋଇଲିର କୁହୁକୁହୁ ସ୍ବର ଆବାଳବୃଦ୍ଧ ବନିତାଙ୍କୁ ଆନମନା କରୁଛି ।