ଦ୍ରୁତଗାମୀ ବସର ନାରକୀୟ କାଣ୍ଡ, ଘଟଣାସ୍ଥଳରେ ଜୀବନ ହାରିଲେ ଦୁଇ ଯୁବକ କଳାହାଣ୍ଡି : ବର୍ତ୍ତମାନ ରାଜ୍ୟରେ ଡିସେମ୍ବର 1 ତାରିଖ ଠାରୁ 7 ତାରିଖ ଯାଏଁ ଶୂନ୍ୟ ସଡକ ଦୃର୍ଘଟଣା ଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ କରାଯାଉଛି । ଏନେଇ ସମଗ୍ର ରାଜ୍ୟର ଏକ ସ୍ବତନ୍ତ୍ର ଅଭିଯାନ ମଧ୍ୟ ଆରମ୍ଭ କରିଛି ରାଜ୍ୟ ପରିବହନ ପ୍ରାଧିକରଣ(ଏସ.ଟି.ଏ) । କିନ୍ତୁ ଏହି ଶୂନ ସଡକ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳନ ମଧ୍ୟରେ ବି ସାରା ରାଜ୍ୟରେ କୌଣସି ନା କୌଣସି ସ୍ଥାନରେ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି । ଏହି କ୍ରମରେ କଳାହାଣ୍ଡି ଏକ ବସ୍ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଯାିଛି ।
ପ୍ରତ୍ୟେକ ବର୍ଷ ସଚେତନତା କରାଯିବା ସତ୍ତ୍ବେ ଗତ 10 ବର୍ଷରେ ଆମ ରାଜ୍ୟରେ 48 ହଜାର ଲୋକ ସଡ଼କ ଦୁର୍ଘଟଣା ରେ ପ୍ରାଣ ହରାଇଥିବା ପରିବହନ ବିଭାଗର ତଥ୍ୟ କହୁଛି । ଗତ ବର୍ଷ ରାଜ୍ୟରେ 5400 ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଚଳିତ ବର୍ଷ ଅକ୍ଟୋବର ସୁଦ୍ଧା 4000 ଲୋକ ପ୍ରାଣ ହରେଇଛନ୍ତି । ମୁଖ୍ୟତଃ ଦ୍ରୁତ ଗତିରେ ଗାଡି ଚାଲନା, ମଦ୍ୟପାନ କରି ଗାଡି ଚାଳନା, ବେପରୁଆ ଗାଡି ଚାଲନା, ତ୍ରୁଟିପୂର୍ଣ ରାସ୍ତା ଡିଜାଇନ ଯୋଗୁଁ ଦୁର୍ଘଟଣା ହେଉଥିବା ବିଶେଷଜ୍ଞଙ୍କ ମତ ରହିଛି । କିନ୍ତୁ ଦୁଇ ଚକିଆ ଓ ୪ ଚକିଆ ଯାନକୁ ଯାଞ୍ଚ କରିବା ପରେ ଚାଲାଣ କାଟି ନିଜ କର୍ତ୍ତବ୍ୟ ସାରି ଦେଉଛନ୍ତି ଉଭୟ ପୋଲିସ୍ ଓ ପରିବହନ ବିଭାଗ ।
ଏହା ମଧ୍ୟ ପଢନ୍ତୁ...ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହରେ ବଢୁଛି ମୃତ୍ୟୁ ତାଣ୍ଡବ, ପରିବହନ ବିଭାଗ କରୁଛି ସଚେତନ
ଯେଉଁ ଭଳି ଭାବରେ ଦ୍ରୁତଗାମୀ ବସ ଚଳାଚଳ କରୁଛି ତା ଉପରେ ରୋକ ଲଗାଇବାରେ ବିଫଳ ହୋଇଛି ପରିବହନ ବିଭାଗ । ଫଳରେ ଅନେକ ସମୟରେ ଦୁର୍ଘଟଣା ରେ ଲୋକଙ୍କ ଜୀବନ ଚାଲି ଯାଉଛି । ଗତ ଦୁଇ ଦିନ ମଧ୍ୟରେ ବିଭିନ୍ନ ସଡ଼କ ଦୁର୍ଘଟଣା କଳାହାଣ୍ଡି ଜିଲ୍ଲାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯାହା ପରିବହନ ବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୋମବାର ପୁଣି ଦ୍ରୁତଗାମୀ ବସ ଧକ୍କାରେ ଚାଲି ଯାଇଛି ଦୁଇଜଣ ଯୁବକଙ୍କ ଜୀବନ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ଗୁମା ବହାଲ ଗାଁର କରିତ ମାଝୀ ଓ ତୁତ୍ରାଗୁଡ଼ା ଗାଁର ଜଗନ୍ନାଥ ନାଏକ ଓ ତାଙ୍କ ବନ୍ଧୁ ବାଇକରେ କୌଣସି କାମରେ ଜୁନାଗଡ଼କୁ ଯାଇ ଫେରୁଥିଲେ । ସେହି ସମୟରେ କଲମପୁରରୁ ଭୁବନେଶ୍ବରକୁ ଯାଉଥିବା ଦ୍ରୁତଗାମୀ ଘରୋଇ ଲକି ବସ୍ ମୁଣ୍ଡରାଗୁଡ଼ା ଛକ ନିକଟରେ ବାଇକକୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ବନ୍ଧୁଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ବସ୍ଟିକୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ କଲମପୁର ପୋଲିସ୍ ପହଞ୍ଚି ବସ୍କୁ ଅଟକ ରଖିଥିବା ବେଳେ ମୃତଦେହ ଉଦ୍ଧାର କରି କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି ।
ଇଟିଭି ଭାରତ, କଳାହାଣ୍ଡି