ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଘେରିଲେ ଅନେକ ବିଜେପି କର୍ମୀ । ସହରରେ ପୌର ନିର୍ବାଚନ ଲାଗି ଭୋଟ ଗ୍ରହଣର ଗୋଟିଏ ରାତି ପୂର୍ବରୁ ନିର୍ବାଚନୀ ହିଂସାକାଣ୍ଡ ଘଟିଥିଲା । ବୁଧବାର ରାତି ପ୍ରାୟ ୧୧ଟା ସମୟରେ ଏହି ହିଂସାକାଣ୍ଡ ଘଟିଥିବା ବେଳେ ବିଜେଡ଼ି କର୍ମକର୍ତ୍ତାଙ୍କ ହାତ ରହିଥିବା ଅଭିଯୋଗ ହୋଇଛି । ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଆଗରେ ବିଜେପି ପକ୍ଷରୁ ଧାରଣା ଦିଆଯାଇଛି ।
Municipal Election: ଜୁନାଗଡ଼ରେ ନିର୍ବାଚନୀ ହିଂସା, BJP କର୍ମୀଙ୍କ ଥାନା ଘେରାଓ ଜିଲ୍ଲାର ଜୁନାଗଡ଼ NACର ୱାର୍ଡ ନଂ ୨ର ବିଜେଡି କାଉନସିଲର ପ୍ରାର୍ଥୀ ସଚିନ ଅନ୍ଦାନୀ ତାଙ୍କ ସମର୍ଥକମାନଙ୍କୁ ଧରି ରାତି ପ୍ରାୟ ୧୧ଟାରେ ବିଜେପି କାଉନସିଲର ପ୍ରାର୍ଥୀ ବିକାଶ ରଞ୍ଜନ ପଟ୍ଟନାୟକଙ୍କ ଘରେ ପହଞ୍ଚିଥିଲେ । ଘର ଭିତରକୁ ଯାଇ ବିଜେପି ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନଙ୍କୁ ମାଡ଼ ମାରି ଜିନିଷପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ଜୁନାଗଡ଼ ଥାନା ସମ୍ମୁଖରେ ଧାରଣା ଦିଆଯାଇଛି ।
ଗତକାଲି ବିଜେପି କର୍ମୀମାନେ ଜାତୀୟ ରାଜପଥ 26ରେ ଉତ୍ତେଜନା ପ୍ରକାଶ ପାଇଥିଲା । ଜୁନାଗଡ଼ ଥାନା ପକ୍ଷରୁ ବିଜେଡି ସମର୍ଥକମାନଙ୍କ ବିରୋଧରେ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ବିଜେଡି ସମର୍ଥକମାନେ ଥାନା ପରିସରରେ ରହି ପାଲଟା ଏତଲା ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ମନ୍ତ୍ରୀଙ୍କ ଇଙ୍ଗିତରେ ବିଜେଡି କର୍ମୀମାନେ ଗୁଣ୍ଡାଗିରି କରୁଥିବା ବିଜେପି ଅଭିଯୋଗ କରିଛି । ନିର୍ବାଚନୀ ହିଂସା ଯୋଗୁଁ ଜୁନାଗଡ଼ ସହରରେ ଉତ୍ତେଜନା ଜାରି ରହିଛି।
ଏ ନେଇ ପୋଲିସ କିଛି ମୁହଁ ଖୋଲୁ ନଥିବା ବେଳେ ଗତ କିଛିଦିନ ତଳେ ବିଜେପି ପ୍ରାର୍ଥୀଙ୍କୁ ମନ୍ତ୍ରୀଙ୍କ ଇଙ୍ଗିତରେ ବିଜେଡି କର୍ମୀମାନେ ଧମକ ଦେଉଥିବା ନେଇ କଳାହାଣ୍ଡି ପୋଲିସ SPଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ରାତି ପ୍ରାୟ ୧୨ଟାରେ SDPO ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ