ଭବାନୀପାଟଣା :ମଣ୍ଡି ଅବ୍ୟବସ୍ଥାକୁ ନେଇ ପୁଣି ଗର୍ଜିଲେ ଚାଷୀ । ଗତ ନଭେମ୍ବର ୨୫ ତାରିଖରୁ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏବେ ବି ଏଥିରେ ଅବ୍ୟବସ୍ଥା ଲାଗି ରହିଛି । ଅନେକ ଚାଷୀଙ୍କ ଟୋକାନ ସମସ୍ୟାକୁ ନେଇ ଆଜି କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ କଲମପୁର ବ୍ଲକ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ଚାଷୀମାନେ ଏକତ୍ରିତ ହୋଇ ଏକ ଶୋଭାଯାତ୍ରା ବାହାରି ତହସିଲଦାରଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ । ଏହାସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ ।
ସୂଚନାନୁସାରେ କଳାହାଣ୍ଡି ଜିଲ୍ଲାରେ ନଭେମ୍ବର ୨୫ ତାରିଖରୁ ଖରିଫ ଋତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚଳିତ ଖରିଫ ଋତୁରେ ୧୮୬୭୩୪ ହେକ୍ଟର ଧାନ ହୋଇଥିବା ଜମିରୁ ୮,୫୮,୯୭୬ ମେଟ୍ରିକ ଟନ୍ ଧାନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ୭୪ଟି ପ୍ୟାକ୍ସ, ୧୭୫ଟି ଧାନ ସଂଗ୍ରହ କେନ୍ଦ୍ର, ୩୩ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ଧାନ ସଂଗ୍ରହ ପ୍ରକ୍ରିୟା ରଖି ଜାରି ରଖିଛି ଜିଲ୍ଲା ପ୍ରଶାସନ ।
ହେଲେ ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥା ଯୋଗୁଁ ଚାଷୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆଉ ଚାଷୀଙ୍କ ଏହି ସମସ୍ୟାକୁ ନେଇ ରାଜ ରାସ୍ତାକୁ ଓହ୍ଲାଇଛି ଜିଲ୍ଲା ବିଜେପି । ମଣ୍ଡି ଆରମ୍ଭରୁ ଚାଷୀଙ୍କ ଅନେକ ସମସ୍ୟା ଦେଖା ଦେଇଥିବା ବେଳେ ମଣ୍ଡି ମାନଙ୍କରେ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ଆରଏମସି ଧାନ କ୍ୱିଣ୍ଟାଲ ପିଛା ୨ ପ୍ରତିଶତ ଟିକସ ନେଉଛି ।