ଭବାନୀପାଟଣା: ସ୍ମାର୍ଟ୍ କ୍ଲାସ୍ ରୁମରେ ବସି ପିଲାଏ ପାଠ ପଢ଼ିବେ । ଗ୍ରାମାଞ୍ଚଳର ପିଲା ସହରୀ ଢାଞ୍ଚାରେ ପାଠ ପଢ଼ିବାର ସୁଯୋଗ ପାଇବେ । ଶିକ୍ଷାର ଗୁଣାତ୍ମକ ମାନର ବୃଦ୍ଧି ପାଇଁ ସ୍କୁଲଗୁଡିକୁ 5ଟି ଅଧିନରେ ରୂପାନ୍ତରଣ କରାଯାଉଛି । ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ସରକାର । କିନ୍ତୁ ବିଦ୍ୟାଳୟକୁ ରୁପାନ୍ତର କରାଯାଇଥିଲେ ମଧ୍ୟ ସମସ୍ୟାରୁ ମୁକୁଳି ପାରୁନି କ୍ଲାସ୍ ରୁମ । ରୂପାନ୍ତରିତ କାର୍ଯ୍ୟରେ କିଛି ଅସାଧୁ ଠିକାଦାର ମାନଙ୍କ ପାଇଁ ବିଦ୍ୟାଳୟର ଶ୍ରେଣୀ ଗୃହଗୁଡିକ ଅତି ନିମ୍ନ ମାନର ନିର୍ମାଣ ହୋଇଛି । ଆମେ କହୁଛୁ କଲମପୁର ବ୍ଲକର ବିଜମରା ସ୍ୱାମୀ ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ କଥା।
୨୦୨୧ ମସିହାରେ ପ୍ରଥମ ପର୍ଯ୍ୟାୟରେ ଏହି ବିଦ୍ୟାଳୟକୁ ୫-ଟିରେ ସାମିଲ କରାଯାଇ ରୁପାନ୍ତରିତ କରାଯାଇଥିଲା । ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ ପାଇଁ ସରକାରଙ୍କ ବିଭିନ୍ନ ଅନୁଦାନରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଲା । କିନ୍ତୁ ନିର୍ମାଣର ଦେଢ଼ବର୍ଷ ନପୁରୁଣୁ ବିଦ୍ୟାଳୟର ସ୍ମାର୍ଟ୍ ଶ୍ରେଣୀ ଗୃହରେ ଲାଗିଥିବା ପିଓପି ସିଲିଂ ଖସି ପଡ଼ିଛି । ଫଳରେ ଭୟରେ ଗୋଟିଏ କ୍ଲାସ୍ରୁମ୍ରେ ପିଲାଏ ପାଠ ପଢୁଛନ୍ତି । ଏହି ବିଦ୍ୟାଳୟର ସ୍ମାର୍ଟ ଶ୍ରେଣୀ ଗୃହରେ ଛାତରୁ ପାଣି ଗଳି ଲକ୍ଷାଧିକ ଟଙ୍କାରେ ଲାଗିଥିବା ପିଓପି ସିଲିଂ ଖସି ପଡ଼ିଛି । କିନ୍ତୁ ସୌଭାଗ୍ୟ ବସତଃ ଏଭଳି ଦୁର୍ଘଟଣାରୁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ବର୍ତ୍ତି ଯାଇଛନ୍ତି । ପିଓପି ସିଲିଂ ଲଗାଇବା ପୂର୍ବରୁ ଛାତ ଏବଂ କାନ୍ଥର ସ୍ଥିତି ଅନୁଧ୍ୟାନ କରାଯାଇଥିଲେ ହୁଏତ ଏଭଳି ସ୍ଥିତି ଉପୁଜିନଥାନ୍ତା ବୋଲି କୁହାଯାଉଛି । ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ବଦଳରେ ରାଜନୈତିକ ହସ୍ତକ୍ଷେପ ଏବଂ ଠିକାଦାର ପୋଷା ନୀତି ଯୋଗୁଁ ପାଣି ଗଳୁଥିବା ଛାତରେ ପିଓପି ସିଲିଂ କରାଯିବାରୁ ଏଭଳି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।