ଭବାନୀପାଟଣା :ନିଜ ହକ୍ ଓ ଅଧିକାର ପାଇଁ ଦୀର୍ଘ ୩୫ ଦିନ ହେଲା ରାଜରାସ୍ତାରେ ବିସ୍ଥାପିତ ବ୍ୟବସାୟୀ । ତଥାପି ଭୂଆଁ ବୁଲାଉଛି ଭବାନୀପାଟଣା ପୌରବିଭାଗ । ଛୋଟଛୋଟ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀଙ୍କୁ ବିସ୍ଥାପିତ କରି ରାଜରାସ୍ତାକୁ ନେଇ ଆସିଛି ପ୍ରଶାସନ । ଯାହାକୁ ନେଇ ଆଜିକୁ ୩୫ ଦିନ ହେବ ଧାରଣାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ବିସ୍ଥାପିତ ବ୍ୟବସାୟୀ ।
ସୂଚନାନୁସାରେ ଗତ ୨୦୧୫ ମସିହାରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାକଡରେ ଥିବା ଅନେକ ଦୋକାନୀଙ୍କ ଦୋକାନ ଭାଙ୍ଗିଥିଲା ଜିଲ୍ଲା ପ୍ରଶାସନ । ଏଥିସହ ବ୍ୟବସାୟୀଙ୍କୁ ବିସ୍ଥାପିତ ମଧ୍ୟ କରିଥିଲା । ସେହି ସମୟରେ ଯଥାଶୀଘ୍ର ଦୋକାନ ଗୃହ ନିର୍ମାଣ କରି ପ୍ରତ୍ୟେକ ବିସ୍ଥାପିତ ବ୍ୟବସାୟୀଙ୍କୁ ଥଇଥାନ ପାଇଁ ପ୍ରତିଶ୍ରୁତି ଦେଇଥିଲା ଜିଲ୍ଲା ପ୍ରଶାସନ।
ହେଲେ ବିସ୍ଥାପିତ ହେବାର ୭ ବର୍ଷ ବିତି ଯାଇଥିଲେ ମଧ୍ୟ ଏ ଦିଗରେ ପୌର କିମ୍ବା ଜିଲ୍ଲା ପ୍ରଶାସନ ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଇତି ମଧ୍ୟରେ ସହରର ବିଭିନ୍ନ ସ୍ଥାନମାନଙ୍କରେ ମଧ୍ୟ ମାର୍କେଟ କମ୍ପ୍ଲେକ୍ସମାନ ନିର୍ମାଣ ହୋଇଯାଇଛି । ହେଲେ ଏଯାବତ ବିସ୍ଥାପିତ ବ୍ୟବସାୟୀଙ୍କୁ ବ୍ୟବସାୟ କରିବାକୁ ଯାଗା ମିଳିନି ।
ଏହାକୁ ନେଇ ସହରର ଶତାଧିକ ବିସ୍ଥାପିତ ବ୍ୟବସାୟୀ ଏକତ୍ରିତ ହୋଇ ଦୀର୍ଘ ୩୫ଦିନ ଧରି ଅହୋରାତ୍ର ଧାରଣାରେ ବସିଛନ୍ତି। ଆନ୍ଦୋଳନକାରୀମାନଙ୍କ ସହ ୩ଥର ଆଲୋଚନା ପରେ ମଧ୍ୟ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି ପୌର ପ୍ରଶାସନ । ଫଳରେ ଆମରଣ ଅନଶନ ଜାରି ରଖିଛନ୍ତି ବିସ୍ଥାପିତ ବ୍ୟବସାୟୀ ।
ତେବେ ଏହି ବ୍ୟବସାୟୀଙ୍କ ଦାବି ହେଲା ଦୋକାନ ହରାଇଥିବା ସମସ୍ତ ବ୍ୟବସାୟୀଙ୍କୁ ୭ବର୍ଷର କ୍ଷତିପୂରଣ ବାବଦକୁ ୫ ଲକ୍ଷ ଟଙ୍କା ପ୍ରଦାନ, ଦୋକାନ ହରାଇଥିବା ପ୍ରତ୍ୟେକଙ୍କୁ ତାଙ୍କର ପୂର୍ବ ସ୍ଥାନରେ ଥଇଥାନ । ତାସହ ଦୋକାନ ଗୃହର ସର୍ବନିମ୍ନ ହାରରେ ଅଂଶଧନ ଜମା କରିବା ପାଇଁ ବ୍ୟବସ୍ଥା କରିବା ଭଳି ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିସ୍ଥାପିତ ବ୍ୟବସାୟୀ ।