କଳାହାଣ୍ଡି: ଘନଉଛି ବନ୍ଧପାରି ସ୍କୁଲରେ ଶିକ୍ଷୟତ୍ରୀଙ୍କ ନିଯୁକ୍ତି ମାମଲା । ଜିଲ୍ଲାପାଳଙ୍କ ଦ୍ୱରାସ୍ତ ହେଲେ ଗ୍ରାମବାସୀ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅନୁସୂଚିତ ଜାତି ଓ ଜଣଜାତି ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେବା ସହ ସମାଜ ର ମୁଖ୍ୟ ସ୍ରୋତରେ ସାମିଲ କରି ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି । ସେମାନଙ୍କ ପାଇଁ ମାଗଣା ହଷ୍ଟେଲ ସୁବିଧାଠାରୁ ଆରମ୍ଭ କରି ମାଗଣା ପାଠ୍ୟ ପୁସ୍ତକ ଯାଏଁ ସବୁକିଛି ଯୋଗାଇ ଦେବା ସହ ଯୋଗ୍ୟତା ଭିତ୍ତିକ ଶିକ୍ଷକଙ୍କୁ ନିଯୁକ୍ତ କରାଯାଉଛି । ହେଲେ କିଛି ଅସାଧୁ କର୍ମଚାରୀ ଓ ଲାଭଖୋର ଶିକ୍ଷକଙ୍କ ମାନମାନି ଯୋଗୁଁ ଏଠି ପାଠାପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ସହ ଶିକ୍ଷୟିତ୍ରୀଙ୍କ ରାଜୁତି ଚାଲୁଛି । ଯାହାକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱରାସ୍ତ ହୋଇଛନ୍ତି ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧି ଓ ଗ୍ରାମବାସୀ ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବନ୍ଧପାରି ଆବାସିକ ବିଦ୍ୟାଳୟ ପରିଚାଳନାରେ ଦୁର୍ନୀତି ନେଇ ଦେଖାଯାଇଥିବା ବିବାଦ ପୁଣି ଥରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପହଞ୍ଚିଛି । ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାତୀ ନାଏକଙ୍କ ନାମରେ ଅଭିଯୋଗ ନେଇ ଅଞ୍ଚଳବାସୀ କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଆଜି ଫେରାଦ ହୋଇଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାୟୀ ବନ୍ଧପାରି ସ୍କୁଲରେ ୫୭୧ ଜଣ ଛାତ୍ରଛାତ୍ରୀ ପଢୁଥିବା ବେଳେ ସ୍କୁଲ ପରିଚାଳନାଗତ ତୃଟି ଓ ଶିକ୍ଷୟିତ୍ରୀଙ୍କ ଦୁର୍ନୀତି ବିବାଦ ଅନ୍ତେବାସୀ ଛାତ୍ରୀମାନଙ୍କ ଶିକ୍ଷା ଉପରେ ପ୍ରଭାବ ପକାଉଛି ।
ଡ୍ରପଆଉଟ୍ ଛାତ୍ରଛାତ୍ରୀମାନଙ୍କୁ ହଷ୍ଟେଲ୍ ସୁବିଧା ସହିତ ତାଙ୍କୁ ମାଗଣାରେ ପାଠ ପଢାଇବାକୁ ସରକାର କରିଥିବା ବ୍ରିଜ୍ କୋର୍ସ ଅନୁଦାନର ପ୍ରାୟ ଚାରିଲକ୍ଷ ଅର୍ଥରାଶି ହଡପ କରିଥିବା ଅଭିଯୋଗ ହୋଇଛି । ତାଙ୍କ ନାମରେ ଏବେ ଭିଜିଲାନ୍ସ ତଦନ୍ତ ଜାରି ରହଥିବା ବେଳେ ନିଜ ସମ୍ପର୍କୀୟଙ୍କୁ ନେଇ ଗ୍ରାମବାସୀଙ୍କୁ ଶିକ୍ଷୟିତ୍ରୀ ନାଳି ଆଖି ଦେଖାଇ ଭୟଭୀତ କରୁଥିବା ଗ୍ରାମବାସୀ ଓ ଅବିଭାବକ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।