କଳାହାଣ୍ଡି:ଦୂରବସ୍ଥାରେ ଦ୍ବିତୀୟ ଭଗବାନ । ଅସ୍ବାସ୍ଥ୍ୟକର ପରିବେଶ, ବର୍ଷାପାଣି ଗଳୁଥିବା ଭଙ୍ଗାରୁଜା ବଖରାରେ ରହୁଛନ୍ତି ଆୟୁଷ ଡାକ୍ତର । ଏ ହେଉଛନ୍ତି କଳାହାଣ୍ଡି ଲାଞ୍ଜିଗଡ ବେନଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ମଞ୍ଜୁଲତା ରଣା । ସରକାରଙ୍କ ଦ୍ବାରା ନିଯୁକ୍ତ ଏହି ଡାକ୍ତରାଣୀଙ୍କୁ ରହିବାକୁ ପକ୍କା ଘର ତ ମିଳିଛି, ହେଲେ ଛାତ ଉପରେ ପଡିଛି ପଲିଥିନ । ବର୍ଷା ହେଲେ ଘରର ସ୍ଥିତି ନକହିବା ଭଲ । ତଥାପି ଉପାନ୍ତ ଅଞ୍ଚଳରେ ପରିସ୍ଥିତି ସହ ଖାପ ଖୁଆଇ ଆଖପାଖ ପ୍ରାୟ 50 ଖଣ୍ଡ ଗାଁର 25 ହଜାରରୁ ଊର୍ଦ୍ଧ ଲୋକଙ୍କୁ ସେ ଯୋଗାଉଛନ୍ତି 24 ଘଣ୍ଟିଆ ସେବା ।
ତେବେ ଡାକ୍ତର ମଞ୍ଜୁଲତାଙ୍କ 3 ବର୍ଷର ଝିଅଟିଏ ବି ଅଛି, ହେଲେ ଶିକ୍ଷା ସହ ବୌଦ୍ଧିକ ଜ୍ଞାନଠୁ ଅପହଞ୍ଚ ଲାଞ୍ଜିଗଡରେ ଝିଅର ଶିକ୍ଷା ଓ ଭବିଷ୍ୟତକୁ ନେଇ ଚିନ୍ତିତ ମଞ୍ଜୁଲତା । ଏହା ସହ ଅଞ୍ଚଳରେ ନା ଅଛି ଯୋଗାଯୋଗ ବ୍ୟବସ୍ଥା ନା ଭଲ ନେଟୱାର୍କ ସେବ । ସମ୍ପର୍କୀୟଙ୍କୁ ଫୋନ କରିବା ପାଇଁ ତାଙ୍କୁ ଯିବାକୁ ପଡିଥାଏ ଗାଁ ମୁଣ୍ଡରେ ଥିବା ଆମ୍ଭଗଛ ମୂଳକୁ । ଆଉ ବିଜୁଳିବତୀର ବ୍ୟବସ୍ଥା ଅଛି ସତ, ହେଲେ ଅଳ୍ପ ବର୍ଷା ପବନରେ 3 ଦିନ ଏହା ବନ୍ଦ ରହିଥାଏ । ଏସବୁ ସର୍ବନିମ୍ମ ଭିତ୍ତିଭୂମି ଠାରୁ ଦୂରରେ ଥିବା ବେନଗାଁରେ କେମିତି କିପରି ଚଳିବେ ସେନେଇ ଚିନ୍ତାରେ ଡାକ୍ତରାଣୀ ମଞ୍ଜୁଲତା ।