ଓଡିଶା

odisha

ETV Bharat / state

କଳାହାଣ୍ଡିରେ କମୁନି ଦାଦନ ଦୁଃଖ, ମାସକରେ ଫେରିଲାଣି ୫ ମୃତଦେହ

କଳାହାଣ୍ଡିରୁ ପୁଣି ସାମ୍ନାକୁ ଆସିଲା ଦାଦନ ଦୁଃଖ । ପେଟପାଟଣା ପାଇଁ ହାଇଦ୍ରାବାଦ ଦାଦନ ଖଟିବାକୁ ଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲାର ଆଉ ଜଣେ ଦାଦନ ଶ୍ରମିକର ମୃତ୍ୟୁ । ଅଧିକ ପଢନ୍ତୁ

By

Published : Mar 17, 2023, 8:47 AM IST

କଳାହାଣ୍ଡିର ଦାଦନ ଶ୍ରମିକ ମୃତ୍ୟୁ
କଳାହାଣ୍ଡିର ଦାଦନ ଶ୍ରମିକ ମୃତ୍ୟୁ

ଭବାନୀପାଟଣା: କଳାହାଣ୍ଡିରେ କମୁନି ଦାଦନ ଦୁଃଖ । ପେଟପାଟଣା ପାଇଁ ହଜାର ହଜାର ଲୋକେ ବାହାର ରାଜ୍ୟରେ ଦାଦନ ଖଟିବାକୁ ଯାଉଛନ୍ତି । ହେଲେ ଗାଁକୁ ଫେରୁଛି ସେମାନଙ୍କ ମୃତଦେହ । ଗୋଟିଏ ମାସ ଭିତରେ କଳାହାଣ୍ଡି ଜିଲ୍ଲାରେ ୫ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଫେରିଲାଣି । ହେଲେ ଏଥିପ୍ରତି ଜିଲ୍ଲା ପ୍ରଶାସନର ନିଘା ଅଛି ନା ସରକାର କୌଣସି ପଦକ୍ଷେପ ନେଉଛନ୍ତି । ଯାହାଫଳରେ କଲମପୁର ବ୍ଲକ ଅଞ୍ଚଳର ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସିଛି ।

କଲମପୁର ବ୍ଲକ ଅନ୍ତର୍ଗତ ବନ୍ଦକନା ଗାଁର କାର୍ତ୍ତିକ ପାତ୍ର ବର୍ଷକ ତଳେ ପରିବାର ପ୍ରତିପୋଷଣ ପାଇଁ ଗାଁର ଅନ୍ୟ ସାଥି ଶ୍ରମିକମାନଙ୍କ ସହ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ । ସେଠାରେ ସେ ଏକ ଇଟାଭାଟିରେ ଶ୍ରମିକ ଭାବରେ କାମ କରୁଥିଲେ । ହେଲେ ଗତକାଲି(ଗୁରୁବାର) କାମ କରିବା ସହମୟରେ କୌଣସି କାରଣରୁ ସେ ଇଟାଭାଟି ଉପରୁ ତଳକୁ ଖସି ପଡିଥିଲେ । ଫଳରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସାଥି ଶ୍ରମିକ ତାଙ୍କୁ ତୁରନ୍ତ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ଡାକ୍ତର ଜଣାଇଥିଲେ ।

ଏ ସମ୍ପର୍କରେ ସାଥି ଶ୍ରମିକ ଇଟାଭାଟି ମାଲିକଙ୍କୁ ଜଣାଇବା ସହ କାର୍ତ୍ତିକଙ୍କ ପରିବାର ଲୋକଙ୍କୁ ମଧ୍ୟ ଫୋନ ଯୋଗେ ଅବଗତ କରିଥିଲେ । ପରେ ପରିବାର ଲୋକଙ୍କ ନିବେଦନ କ୍ରମେ ସାଥି ଶ୍ରମିକ ଓ ଇଟାଭାଟି ମାଲିକଙ୍କ ସହାୟତାରେ ମୃତଦେହ ଗାଁକୁ ପଠାଇବାର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି । ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ କାର୍ତ୍ତିକ । ତାଙ୍କର ମୃତ୍ୟୁ ପରେ ପୁରା ପରିବାର ଏବେ ବେସାହାର ହୋଇପଡିଛି ।

ଏହାମଧ୍ୟ ପଢନ୍ତୁ: ଖବର ପ୍ରସାରଣ ପରେ ପ୍ରାର୍ଥଙ୍କୁ ମିଳିଲା ସହାୟତା, ପରିବାର ମୁହଁରେ ଫୁଟିଲା ହସ

କଳାହାଣ୍ଡି ଜିଲ୍ଲାର ମୁଖ୍ୟ ସମସ୍ୟା ହେଉଛି ଦାଦନ । ମାଳ ମାଳ ସରକାରୀ ଯୋଜନା ସତ୍ତ୍ବେ ଜିଲ୍ଲାରେ କମୁନି ଦାଦନଙ୍କ ଦୁଃଖ । କେତେକାଞ୍ଚଳରେ ସରକାର ଯୋଜନାର ଯୋଜନାର ସୁବିନିଯୋଗ ନହେବା ଯୋଗୁଁ ଆଜି ମଧ୍ୟ ହଜାର ହଜାର ଲୋକ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । କେତେବେଳେ କାହାର ମୃତଦେହ ଫେରୁଛି ତ ଆଉ କିଏ ବିକଳାଙ୍ଗ ହୋଇ ଘରକୁ ଆସୁଛି । ସରକାର ଗରିବ ଶ୍ରେଣୀର ଲୋକମାନଙ୍କୁ ଶହେ ଦିନର କାମ ଯୋଗାଇ ଦେଉଥିବା ଡିଣ୍ଡିମ ପିଟୁଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ତାହାର ଓଲଟା ଦେଖିବାକୁ ମିଳୁଛି ।

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details