ଭବାନୀପାଟଣା: ଓଡ଼ିଶାର ସୀମାନ୍ତ ଗାଁଗୁଡ଼ିକରେ ଆନ୍ଧ୍ରର ଦାଦାଗିରି ଘଟଣା ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ଏପରିକି କୋଟିଆ ଗ୍ରାମପୁଞ୍ଜରେ ଆନ୍ଧ୍ର ସରକାର ନିର୍ମାଣ କାର୍ଯ୍ୟ ଓ ନିର୍ବାଚନ ପାଇଁ ମସୁଧା ଚଲାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ କଡ଼ା ଜବାବ ଦେବା ପାଇଁ ପ୍ରଚେଷ୍ଟା କରୁଛନ୍ତି । ଏସବୁ ଭିତରେ କିନ୍ତୁ ଅନେକ କଥା ଲୁଚି ଯାଉଛି । ତାହାହେଲା ଆନ୍ଧ୍ରର ବଡ଼ ବଡ଼ ଚାଷୀ, ବ୍ୟବସାୟୀ ଓଡିଶାର ବହୁ ଜମିକୁ ନିଜ କବ୍ଜାକୁ ନେଇ ସାରିଲେଣି । ବିଶେଷକରି ଗ୍ରାମାଞ୍ଚଳରେ ଥିବା ଅବ୍ୟବହୃତ ଜମିଗୁଡ଼ିକୁ ସେମାନେ ଅତି ନ୍ୟୁନତମ ଦରରେ କିଣି ନେଉଛନ୍ତି ଏବଂ ସ୍ଥାନୀୟ ଦଲାଲଙ୍କୁ ହାତ କରି ଅତି ସହଜରେ ଜମିର ରେଜିଷ୍ଟ୍ରେସନ ଓ ମ୍ୟୁଟେସନ୍ କରାଉଛନ୍ତି ।
ଆଦିବାସୀଙ୍କ ଜମିରେ ଆନ୍ଧ୍ର ଚାଷୀଙ୍କ ଲୋଲୁପ ଦୃଷ୍ଟି ଏହିପରି ଭାବେ କଳାହାଣ୍ଡି ଜିଲ୍ଲାର ଏକର ଏକର ଜମିର ମାଲିକାନା ଏବେ ଆନ୍ଧ୍ର ବାସିନ୍ଦାଙ୍କ ହାତକୁ ଚାଲିଗଲାଣି । ଆନ୍ଧ୍ର ଚାଷୀ ଓ ବେପାରୀଙ୍କ ଚକ୍ରାନ୍ତ ଯୋଗୁଁ ଜିଲ୍ଲାର ଚାଷୀମାନେ ଏବେ ଜମିହୀନ ହେବାରେ ଲାଗିଥିବା ବେଳେ ଜମି ବିକ୍ରିରୁ ମିଳିଥିବା ଟଙ୍କା ସରିଯିବା ପରେ ଦାଦନ ଖଟିଯିବାକୁ ବାଧ୍ୟ ହେଉଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ଜମି ମରାମତି ଯୋଜନାରେ ଆନ୍ତରିକତାର ଅଭାବ ଓ ମନରେଗା ଯୋଜନାରେ ବିଳମ୍ବ ପାଉଣା ଯୋଗୁଁ ଏଠାକାର ଚାଷୀ ହତୋତ୍ସାହିତ ହୋଇ ପଡୁଛନ୍ତି । ଫଳରେ ପଡ଼ିଆ ଜମିଗୁଡିକୁ ଆନ୍ଧ୍ର ଚାଷୀ ଓ ବେପାରୀଙ୍କ ହାତକୁ ଟେକି ଦେଉଛନ୍ତି ।
କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ର ବିଭିନ୍ନ ସ୍ଥାନରେ ଆନ୍ଧ୍ର ବେପାରୀ ଜମି କିଣିଛନ୍ତି । ଲାଞ୍ଜିଗଡ଼ ବ୍ଲକ୍ ବାତେଲିମା ପଞ୍ଚାୟତ ବୁରିଙ୍ଗପଦର ଗାଁରେ ଜଣେ ଆନ୍ଧ୍ର ଜମି ମାଫିଆ ଆଦିବାସୀଙ୍କ ଜମି ହଡପ୍ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ସୂଚନା ମୁତାବକ, ବୁରିଙ୍ଗପଦର ଗାଁର ଡୁସା ମାଝୀ, ପୂର୍ଣ୍ଣ ମାଝୀ ଓ ଗଦନ ମାଝୀଙ୍କ ୪ ଏକର ଜମି ସମେତ ଗାଁର ୧୦୦ ଏକର ସରକାରୀ ଜମି ଏକ ଆନ୍ଧ୍ର ଜମି ମାଫିଆ ମୁଲାପୁଡି ଭେଙ୍କଟ ରାଓ ନାମକ ଜଣେ ବ୍ୟକ୍ତି ନିଜ କବ୍ଜାରେ କରିଥିବା ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ କରୁଣା ମାଝୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଜମି ମାଫିଆ ରାଓ ଆଜିକୁ ୫ ବର୍ଷ ତଳେ କିଛି ଆଦିବାସୀଙ୍କୁ ଟଙ୍କାର ଲୋଭ ଦେଖାଇ ସେମାନଙ୍କ ଠାରୁ ୧୨ ଏକର ଜମି କିଣିଥିବା ଗାଁ ଲୋକେ ପ୍ରକାଶ କରିଛନ୍ତି । ସେହି ଜମିରେ ଗତ ସପ୍ତାହରେ ଜେସିବି ଓ ଟ୍ରାକ୍ଟର ଲଗାଇ ସମତୁଲ କରିଥିବାବେଳେ ଏହି ତିନି ଜଣ ଚାଷୀଙ୍କ ୪ ଏକର ପଟ୍ଟା ଜମିକୁ ଦଖଲକୁ ନେଇଥିବା ଲୋକେ ସ୍ଥାନୀୟ ସରପଞ୍ଚଙ୍କ ନିକଟରେ ଅଭିଯୋଗ କରିଥିଲେ ।
ଏହାପରେ ଲାଞ୍ଜିଗଡ଼ ବ୍ଲକ୍ ଅଧ୍ୟକ୍ଷା କମଳା ପାତ୍ର, ବତେଲିମା ସରପଞ୍ଚ କରୁଣା ମାଝୀ, ବୁରିଙ୍ଗପଦର ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ଦଖଲ ଅଞ୍ଚଳକୁ ଯାଇ ବୁଲି ଦେଖିଥିଲେ । ଗ୍ରାମବାସୀ ଏନେଇ ଲାଞ୍ଜିଗଡ଼ ତହସିଲଦାରଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଆଜି ଲାଞ୍ଜିଗଡ଼ ତହସିଲଦାର ମୁନିଦ୍ର ହୋନ୍ନାଙ୍ଗାଙ୍କ ନିର୍ଦ୍ଦେଶକ୍ରମେ ନଙ୍ଗଲବେଡ଼ା ଆର୍ଆଇ ସରୋଜ ସାହୁ ବୁରିଙ୍ଗପଦର ଗାଁକୁ ଯାଇ ଗାଁର ଅଧିବାସୀଙ୍କ ସହ ଆଲୋଚନା କରିଛନ୍ତି । ଜବରଦଖଲ ଅଞ୍ଚଳ ବୁରିଙ୍ଗପଦର ଜମି ଖାତା ନଂ ୬୧୯୬୨ର ତଦନ୍ତ ଆରମ୍ଭ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ