ଭବାନୀପାଟଣା: କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ ମାମଲା । ଭବାନୀପାଟଣା ବ୍ଲକର ୧୭୧ ଜଣ ଏକ୍ସ କେଡ଼ର ଶିକ୍ଷକ ଗୋଟିଏ ମାସର ଦରମାକୁ ଜାଲିଆତି କରି ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆର ଫେରାର ହେବା ଘଟଣାରେ ଆକ୍ସନ ମୋଡରେ ଜିଲ୍ଲା ଶିକ୍ଷା ବିଭାଗ । ଏକ୍ସ କେଡ଼ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ଶିକ୍ଷା ବିଭାଗ । ଘଟଣାକୁ ନେଇ ନିଜପଟୁ ମାମଲା ରୁଜ୍ଜୁ କରି ଅବସର ପ୍ରାପ୍ତ ତତ୍କାଳୀନ ବିଇଓ ଜଗନ୍ନାଥ ପୁରୋହିତ, କାର୍ଯ୍ୟରତ ବିଇଓ ଠାକୁର ଚନ୍ଦ୍ର ସାହୁ, ବିଆରସି ଜୟକୁମାର ମାଝୀଙ୍କୁ ଜେରା କରିଛି ଭିଜିଲାନ୍ସ ବିଭାଗ ।
ସେପଟେ ଜଣେ ମାଜିଷ୍ଟ୍ରେଟ ଓ ଭିଜିଲାନ୍ସ ବିଭାଗ ସମେତ ବିଇଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ସୂଚୀସ୍ମିତାଙ୍କ ଚାମ୍ବରରେ ଥିବା ଦୁଇଟି ଆଲମିରାକୁ ଖୋଲିଛି ଶିକ୍ଷା ବିଭାଗ । ଆଲମିରାରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ରହିଥିବା ବେଳେ ପ୍ରତ୍ୟେକଟି ଦସ୍ତାବିଜକୁ ଶିକ୍ଷା ବିଭାଗ ଦ୍ବାରା ଯାଞ୍ଚ କରାଯାଉଛି । ସେପଟେ ଆଲମିରାରେ ଅନେକ ବ୍ୟାଙ୍କ ସମ୍ପର୍କିତ କାଗଜପତ୍ର ରହିଥିବା ବେଳେ ବିଭିନ୍ନ ସମୟରେ ସରକାରୀ ଆକାଉଣ୍ଟରୁ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର କରିଥିବାର କାଗଜପତ୍ର ମଧ୍ୟ ଆଲମିରାରୁ ମିଳିଥିବା ଜଣାପଡିଛି । ସେପଟେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆକାଉଣ୍ଟାଣ୍ଟ ସୂଚୀସ୍ମିତା ସୁଆରଙ୍କ ବିରୋଧରେ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗର ୩ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ସୂଚୀସ୍ମିତାକୁ ଧରିବାରେ ବିଫଳ ରହିଛି । ଯାହାକୁ ନେଇ ଏବେ ଅନିଶ୍ଚିତତା ମଧ୍ୟରେ ୧୭୧ ଜଣ ଏକ୍ସ କେଡ଼ର ଶିକ୍ଷକ । ସୂଚୀସ୍ମିତା ଗିରଫ ହେଲେ ହିଁ ଅନେକ ତଥ୍ୟ ସାମ୍ନାକୁ ଆସିବ ବୋଲି ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ।
ଏହା ମଧ୍ୟ ପଢନ୍ତୁ: କଳାହାଣ୍ଡିରେ ଶିକ୍ଷକଙ୍କ ଦରମା ହଡ଼ପ, ମହିଳା ଆକାଉଣ୍ଟାଣ୍ଟଙ୍କ ବିରୋଧରେ ଅଭିଯୋଗ
ଏନେଇ ବିଇଓ ଭବାନୀପାଟଣା ଠାକୁର ଚନ୍ଦ୍ର ସାହୁ କହିଛନ୍ତି ଯେ, "ଆଜି ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଫେରାର ରହିଥିବା ସୂଚୀସ୍ମିତା ସୁଆରଙ୍କ ଦୁଇଟି ଆଲମିରା ଖୋଲାଯାଇଛି । ସେଥିରୁ ବ୍ୟାଙ୍କ ସମ୍ପର୍କିତ କାଗଜପତ୍ର ଜବତ କରାଯାଇଛି । ସର୍ଭିସ ବୁକ ସହ ଅନାନ୍ୟ କାଗଜପତ୍ର ସବୁ ଜବତ କରାଯାଇଛି । ବିଭିନ୍ନ ସମୟରେ ସରକାରୀ ଆକାଉଣ୍ଟରୁ ନିଜ ବ୍ୟକ୍ତିଗତ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ଟ୍ରାନ୍ସଫର କରାଯାଇଥିବା ଜଣାପଡିଛି । ପୋଲିସ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି । ଖୁବଶୀଘ୍ର ସୂଚୀସ୍ମିତା ସୁଆରଙ୍କୁ ଗିରଫ କରାଯିବ ।"