ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସୋଲାର ଲାଇଟ କିଣାରେ ମହାଦୁର୍ନୀତିର ଅଭିଯୋଗ କରି ଅଞ୍ଚଳବାସୀ ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ସୂଚନାନୁସାରେ, ଥୁଆମୂଳ ରାମପୁର ବ୍ଲକ ସଦର ମହୁକୁମାର ରାସ୍ତା କଡରେ ଆଲୋକର ସ୍ଥାୟୀ ବ୍ୟବସ୍ଥା ପାଇଁ ବହୁ ଦିନରୁ ଦାବି ହୋଇ ଆସୁଥିଲା । ଏନେଇ ଡିଏମଫ ଫଣ୍ଡରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୧୭,୯୨,୭୮୦ ଟଙ୍କା ବ୍ୟୟ ଅଟକଳରେ ଚୁକ୍ତି କରାଯାଇ ତହସିଲ କାର୍ଯ୍ୟଳୟ ଠାରୁ ଆରମ୍ଭ କରି ରାସ୍ତାର ବିଭିନ୍ନ ପାର୍ଶ୍ଵରେ ୩୪ ଟି ସୋଲାର ଲାଇଟ ଖମ୍ବ ସ୍ଥାପନ କରାଯାଇଥିଲା।
ସୂଚନା ଅନୁଯାୟୀ, ଉତ୍କଳ ଆଲୁମିନା କମ୍ପାନୀ ଡିଏମଫ ଫଣ୍ଡରୁ ଅଞ୍ଚଳର ବିକାଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ବର୍ଷକୁ ବର୍ଷ ଦେଉଥିବା ବେଳେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଏହି ଅର୍ଥ ଖର୍ଚ୍ଚ କରାଯାଉଛି । ହେଲେ ପରିତାପର ବିଷୟ ଏଥିରେ ବ୍ୟାପକ ଅନିୟମିତତା ସହ ଚଞ୍ଚକତା କରି ଅର୍ଥ ଲୁଟ ହେଇଛି । ଫଳରେ ଅଞ୍ଚଳର ବିକାଶରେ ବାଧା ସୃଷ୍ଟି କରାଯାଉଥିବା ଅଭିଯୋଗ ଆଣିଛନ୍ତି ଥୁଅମୂଳ ରାମପୁରର ଅନେକ ଯୁବଗୋଷ୍ଠୀ । ଡିଏମଫ ଫଣ୍ଡ ରୁ ୭୨ ଲକ୍ଷ ଟଙ୍କାର ସୋଲାର ଲାଇଟ ଯୋଜନାରେ ବ୍ଳକର ମାଲିଗାଁ, ଗୋପୀନାଥ ପୁର, ଆଡ଼୍ରି ଓ ଥୁଅମୂଳ ରାମପୁର ପଞ୍ଚାୟତର କେତୋଟି ଗାଁରେ ଆଲୋକ ବ୍ୟବସ୍ଥା କରାଯାଇଛି । ହେଲେ ଏଥିରେ ଯେଉଁ ଉପକରଣ ସବୁ ବ୍ୟବହାର ହୋଇଛି ସେସବୁ ଅତି ନିମ୍ନମାନର ।
ଯେଉଁଥିରେ ଅତି କମ ଅର୍ଥ ଖର୍ଚ୍ଚ କରି ଅଧିକ ଟଙ୍କାର ବିଲ ହୋଇଥିବା ଏବଂ ବିନା ଟେଣ୍ଡର ବିଜ୍ଞାପନରେ ଏହାକୁ ଟେବୁଲ ଟେଣ୍ଡର କରି ଲକ୍ଷ ଲକ୍ଷ ଟଙ୍କାର ଏତେବଡ଼ କାମ କିପରି ହୋଇପାରିଲା ବୋଲି ଲୋକେ ଅଭିଯୋଗ କରିଛନ୍ତି । ସରକାର ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି । ଏହି ଲାଇଟ ଲାଗିବାର ଅଳ୍ପ ଦିନରେ ଖରାପ ହେବା ଓ ଟେଣ୍ଡର ଠିକାଦାର ମରାମତି କରିବା ଉପରେ ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ଜନପ୍ରତିନିଧି ।