ଭାବନୀପାଟଣା: ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ଧରପଗଡ଼ ପରେ ଏବେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଲମ୍ବିଛି ଜାଲ ସାର୍ଟିଫିକେଟର ଚେର । ଡାକ ବିଭାଗରେ ଚାକିରି ପାଇଁ ଆବେଦନକାରୀମାନେ ଜାଲ ଶିକ୍ଷା ପ୍ରମାଣପତ୍ର ଦାଖଲ କରୁଛନ୍ତି । ଏବେ କଳାହାଣ୍ଡିକୁ ଏହାର ଚେର ଲମ୍ବିଥିବା ସନ୍ଦେହ କରାଯାଉଛି । ଡାକ ବିଭାଗର ବିଭିନ୍ନ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ କେତେକଙ୍କ ସାର୍ଟିଫିକେଟରେ ତ୍ରୁଟି ଥିବା କଳାହାଣ୍ଡି ଡାକ ବିଭାଗ ପକ୍ଷରୁ ସନ୍ଦେହ କରାଯାଇଛି । ଉକ୍ତ ସାର୍ଟିଫିକେଟ ଗୁଡ଼ିକର ଯାଞ୍ଚ ପାଇଁ ୪ଟି ବୋର୍ଡକୁ ପଠାଯାଇଛି ।
କଳାହାଣ୍ଡି ଜିଲ୍ଲା ଡାକ ବିଭାଗରେ ୧୦୫ଟି ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଚାକିରି ପାଇଁ ଦାଖଲ କରିଥିବା ପ୍ରମାଣପତ୍ର ଯାଞ୍ଚ ପାଇଁ ଆବେଦକାରୀଙ୍କ ଡକାଯାଇଥିଲା । ସେମାନଙ୍କ ମଧ୍ୟରୁ କେବଳ ୭୮ ଜଣ ଆଶାୟୀ ମେରିଟ ଲିଷ୍ଟ୍ରେ ସ୍ଥାନ ପାଇଥିବା ବେଳେ ୨୭ ଜଣ ଅନୁପସ୍ଥିତ ଥିଲେ । ଆବେଦନକାରୀଙ୍କ ସାର୍ଟିଫିକେଟରେ କୌଣସି ତ୍ରୁଟି ଥିବା ସନ୍ଦେହ କରି ୭୮ ଜଣଙ୍କ ସାର୍ଟିଫିକେଟ ଯାଞ୍ଚ ନିମନ୍ତେ ୪ଟି ବୋର୍ଡକୁ ପଠାଯାଇଛି । ଅନ୍ୟପଟେ ଅନୁପସ୍ଥିତ ୨୭ ଜଣ କାହିଁକି ଯାଞ୍ଚ ପାଇଁ ଆସିନଥିଲେ ସେନେଇ ଅନେକ ପ୍ରଶ୍ନ ଉଠିଛି । କଳାହାଣ୍ଡି ଡାକ ଡିଭିଜନ ଏନେଇ ଥାନାରେ ଅଭିଯୋଗ ନକରି ତଦନ୍ତ ପାଇଁ ବୋର୍ଡକୁ ପଠାଇଦେବା, ଜାଣିଶୁଣି କାର୍ଯ୍ୟାନୁଷ୍ଠାନରେ ବିଳମ୍ବ କରୁଥିବା ଅଭିଯୋଗ ହୋଇଛି ।