ଭବାନୀପାଟଣା/ସମ୍ବଲପୁର:ଛିଣ୍ଡୁନି ଜାଲ ସାର୍ଟିଫିକେଟ ଚେର । ଚାରିଆଡକୁ ବ୍ୟାପିଛି ଜାଲ ସାର୍ଟିଫିକେଟ ଚେର । ଗୋଟେପଟେ ବଲାଙ୍ଗୀରରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ବିଭିନ୍ନ ଜିଲ୍ଲାରୁ ଜାଲ ସାର୍ଟିଫିକେଟ ଦେଇ ସରକାରୀ ଚାକିରି ହାତେଇଥିବା ଅଭିଯୋଗ ଆସିବାରେ ଲାଗିଛି । ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି । କଳାହାଣ୍ଡି ଜିଲ୍ଲାରେ ଅଙ୍ଗନବାଡି କର୍ମୀ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଅଭିଯୋଗ ଆସିଛି । ଯାହାକୁ ଏବେ ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ପାଲଟିଛି ।
ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଟେଣ୍ଡୋପାଣି ଗାଁରେ ୨୦୨୧ ମସିହାରେ ଅଙ୍ଗନବାଡ଼ି ପଦବୀ ପାଇଁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିରେ ସେହି ଗାଁର ସସ୍ମିତା ତାଣ୍ଡି ଏବଂ ଲଲିତା ଧାରୁଆ ସହ ୬ ଜଣ ପ୍ରାର୍ଥିନୀ ଆବେଦନ କରିଥିଲେ । ସେଥିରେ ସସ୍ମିତା ତାଣ୍ଡି ଅଙ୍ଗନବାଡ଼ି କର୍ମୀ ପଦବୀ ପାଇଁ ନିଯୁକ୍ତ ହୋଇଥିଲେ । ହେଲେ ସସ୍ମିତାଙ୍କ ଶିକ୍ଷାଗତ ଯୋଗ୍ୟତା ଠିକ ନଥିବା ସନ୍ଦେହ କରି ଲଲିତା ଧାରୁଆ ସୂଚନା ଅଧିକାର ତଥ୍ୟ ମାଗିଥିଲେ ଏବଂ ସେଥିରେ ଜାଣିବାକୁ ପାଇଲେ ଯେ ସସ୍ମିତା ତାଣ୍ଡିଙ୍କ ମାଟ୍ରିକ୍ ସାର୍ଟିଫିକେଟରେ ଜାଲିଆତି ହେଇଛି ।
ସମନ୍ଵିତ ଶିଶୁ ବିକାଶ ଅଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟରେ ମାଟ୍ରିକରେ ସସ୍ମିତା ୩୮୫ ମାର୍କ ଥିବା ବେଳେ ବିଦ୍ୟାଳୟ ଏବଂ ବୋର୍ଡରୁ ମିଳିଥିବା ତଥ୍ୟରେ ୨୮୫ ମାର୍କ ରହିଛି । ଏନେଇ ପୂର୍ବରୁ ସେ ବାରମ୍ବାର ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେବା ସହ ଅଭିଯୋଗ କଲା ପରେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ହେଲେ ବର୍ତ୍ତମାନ ଜାଲ ସାର୍ଟିଫିକେଟକୁ ନେଇ ଚାଲିଥିବା ଛାନଭିନ ପରେ ପୁଣି ଥରେ ସେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଏସପିଙ୍କ ଦ୍ୱରାସ୍ଥ ହେବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।