ଭବାନୀପାଟଣା: ରେତ ଡ୍ୟାମରେ ଛାତ୍ର ବୁଡିଯିବା ଘଟଣା । ୨୪ ଘଣ୍ଟାର ସର୍ଚ୍ଚ ଅପରେସନ ପରେ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଢୁସଗୁଡା ରେତ ଡ୍ୟାମରେ ଗତ ବୁଧବାର ଜଣେ କଲେଜ ଛାତ୍ର ବୁଡି ନିଖୋଜ ହୋଇଥିବା ବେଳେ ଗତକାଲି(ଗୁରୁବାର) ଉକ୍ତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ନିଖୋଜ ଛାତ୍ର ଜଣଙ୍କ ଭବାନୀପାଟଣା ସହରର ବ୍ୟବସାୟୀ ସୁଦାମ ପଣ୍ଡାଙ୍କ ପୁଅ ଆଲୋକ ପଣ୍ଡା । ଆଲୋକ ଭବାନୀପାଟଣା ଠାରେ ଥିବା ବିକାଶ କଲେଜରେ ପାଠ ପଢ଼ନ୍ତି । ତେବେ ଗତ ବୁଧବାର ଆଲୋକ ଘରୁ କଲେଜ ଯାଉଛି କହି ନିଜ କଲେଜ ସାଙ୍ଗମାନଙ୍କ ସହ ରେତ ଜଳ ସେଚନ୍ ପ୍ରକଳ୍ପ ବୁଲିବାକୁ ଯାଇ ସେଠାରେ ଗାଧୋଉଥିଲେ । ଏହି ସମୟରେ ଅସାବଧାନତା ଯୋଗୁଁ ଆଲୋକ ବୁଡି ଯାଇଥିଲେ । ଆଲୋକଙ୍କ ସାଙ୍ଗରେ ଯାଇଥିବା କଲେଜ ବନ୍ଧୁମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ଏହାପରେ ସେମାନେ ତୁରନ୍ତ ସ୍ଥାନୀୟ ପୋଲିସ ଓ ଆଲେକଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ।
ଖବର ପାଇ ଘଟଣା ସ୍ଥଳରେ ନର୍ଲା ପୋଲିସ ଓ ଓଡ୍ରାଫ ଟିମ ପହଞ୍ଚି ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ କାର୍ଯ୍ୟ ଆରମ୍ଭ କରିଥିଲା । ତେବେ ଗତ ବୁଧବାର ରାତି ତମାମ ଓଡ୍ରାଫ ଟିମ ପାଣି ଭିତରେ ଆଲୋକକୁ ଖୋଜିଥିଲେ ମଧ୍ୟ ପାଇନଥିଲେ । ତେବେ ୫ଟି ଓଡ୍ରାଫ ଟିମ୍ର ସହାୟତାରେ ଆଲୋକଙ୍କ ମୃତଦେହ ଉଦ୍ଧାର ହୋଇଛି ।