ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅନ୍ତର୍ଗତ ତାସୀଗୁଡା ଗ୍ରାମରେ ଜନ୍ମ ନେଇଛି ଏକ ଅଦ୍ଭୁତ ଶିଶୁ । ସାଧାରଣ ଭାବରେ ଶିଶୁଟିର ଜନ୍ମ ହୋଇଥିଲେ ହେଁ ଶିଶୁ ପୁତ୍ର ଶାରୀରିକ ଗଠନ ଅସାଧାରଣ ରହିଛି । ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଶିଶୁ ପୁତ୍ରଟି ଘରେ ଜନ୍ମ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛି ।
ସୂଚନା ଅନୁଯାୟୀ, ତାସୀଗୁଡା ଗ୍ରାମର ଗୋପ ମାଝୀଙ୍କ ସ୍ତ୍ରୀ ଗୁରବାରି ମାଝି ଶନିବାର ବିଳମ୍ବିତ ରାତିରେ ନିଜ ଘରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଘରେ ପ୍ରସବ ହୋଇଥିଲେ ମଧ୍ୟ ମାଆର ସ୍ୱାସ୍ଥ୍ୟ ଠିକ ଅଛି । କିନ୍ତୁ ଜନ୍ମଗ୍ରହଣ କରିଥିବା ଶିଶୁପୁତ୍ରଟିର ଶାରୀରିକ ଗଠନ ଅସାଧାରଣ ଭାବରେ ରହିଛି । ଶିଶୁଟିର ଶରୀର ଓ ମୁଣ୍ଡଟି ସାଧାରଣ ଶିଶୁରୁ ଅଧିକ ବଡ଼ ଥିବା ବେଳେ ଆଖି ଡୋଳା ବାହାରକୁ ବାହାରିଥିବା ଦେଖିବାକୁ ମିଳିଛି । ଜନ୍ମ ଶିଶୁଟିର ଓଜନ ୨ କେଜି ୪୦୦ ସହ ଗ୍ରାମ ଅଛି ।