ଭବାନୀପାଟଣା:ଓଡିଆ ପୁଅଙ୍କ ସଫଳତା । ନାସାରେ ରକେଟ ଲଞ୍ଚ କାର୍ଯ୍ୟକ୍ରମରେ କାମ କରିବାର ସୁଯୋଗ ପାଇବେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜଣେ ମେଧାବୀ ଛାତ୍ର ହ୍ରିଙ୍କାର ମିଶ୍ର(Hrinkar Mishra) । ତୁଳସୀ ଦୁଇପତ୍ରରୁ ବାସିବା ଭଳି ଛାତ୍ର ଜଣଙ୍କ ପ୍ରତିଭା ପିଲାଟି ବେଳୁ ଜଣା ପଡିଥିଲା । ହ୍ରିଙ୍କାର ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଗ୍ରାଜୁଏସନ୍ ଏବଂ ପିଜି ପାଠ ମଧ୍ୟ ମୁଖସ୍ତ କରି ସାରିଥିବା ସୂଚନା ରହିଛି । ବାୟସ ମାତ୍ର 13 ବର୍ଷ ହୋଇଥିଲେ ମଧ୍ୟ ସେ ନାସା ଯିବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି । ଯାହାକୁ ନେଇ ବାପା ମାଆ ଗର୍ବିତ ଅନୁଭବ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର । ତରୁଣ ମିଶ୍ର ଓ କମିନି ମିଶ୍ରଙ୍କ ୧୩ ବର୍ଷ ପୁଅ ହ୍ରିଙ୍କାର ମିଶ୍ର । ରାସାୟନିକ ବିଜ୍ଞାନରେ ରୁଚି ରଖିଥିବା ହ୍ରିଙ୍କାର ଗଣିତରେ ଅନେକ ନୂଆଁ ସୂତ୍ର ଓ ତଥ୍ୟ ବାହାର କରିଛନ୍ତି । ଏହା ସହ ସେହି ସୂତ୍ର କିଭଳି ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ ସେ ଉପରେ ନିଜର ଉଦ୍ୟମ ଜାରି ରଖିଥିବା ବେଳେ ନାସାକୁ ଯିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ହ୍ରିଙ୍କାର । ଏବେ ନାସା ପକ୍ଷରୁ ଚନ୍ଦ୍ର ପୃଷ୍ଠକୁ ଏକ ରକେଟ ଲାଞ୍ଚ ହେବାକୁ ଯାଉଛି । ଯାହାର ନାଁ ରହିଛି ଆର୍ଟିମିସ(Artemis) । ସେହି ରକେଟ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦାନ ତଥା ସେଥିରେ କାମ କରିବା ପାଇଁ ହ୍ରିଙ୍କାରଙ୍କୁ ସୁଯୋଗ ମିଳିଛି । ନାସା ପକ୍ଷରୁ ପୂର୍ବରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଅନେକ ବୈଠକ କରାଯାଉଥିବା ବେଳେ ସେଥିରେ ହ୍ରିଙ୍କାର ସାମିଲ ହୋଇଛନ୍ତି ।