ଭବାନୀପାଟଣା:5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ କଳାହାଣ୍ଡି ଗସ୍ତ । ଜିଲ୍ଲା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ପାଣ୍ଡିଆନ । ପ୍ରଥମେ ସେ ମା’ ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବା ପରେ ଶ୍ରୀକୃଷ୍ଣ ନଗରଠାରେ ଏକ ଜନସଭାରେ ଯୋଗ ଦେଇଥିଲେ । ସେଠାରେ ଜିଲ୍ଲାବାସୀଙ୍କ ସହ ଅନେକ ଉନ୍ନୟନମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଛନ୍ତି ଭିକେ ପାଣ୍ଡିଆନ ।
5T ଅଧ୍ୟକ୍ଷ ପ୍ରଥମେ ମା’ ମାଣିକେଶ୍ୱରୀ ବିଶ୍ଵବିଦ୍ୟାଳୟ ପଡିଆଠାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାମାନ କାର୍ଯ୍ୟକାରୀ କରୁଛନ୍ତି । କଳାହାଣ୍ଡି ଜିଲ୍ଲାର ଯୁବକ ଯୁବତୀମାନଙ୍କ ଶିକ୍ଷା ସମେତ କ୍ରୀଡା ଓ ସାଂସ୍କୃତିକ ବିକାଶ ଲାଗି ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ପାଣ୍ଡିଆନ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ‘‘କଳାହାଣ୍ଡି ଯୁବକ ଯୁବତୀମାନଙ୍କର ଶିକ୍ଷା, କ୍ରୀଡା, ସାଂସ୍କୃତିକ ବିକାଶ ଲାଗି ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ ଏବଂ ଏକ ସଶକ୍ତ ସୁସ୍ଥ କଳାହାଣ୍ଡି ଗଠନରେ ଯୁବବର୍ଗଙ୍କ ସହଭାଗିତାକୁ ସୁନିଶ୍ଚିତ କରିବାକୁ ସରକାର ପ୍ରତିଶ୍ରୁତି ବଦ୍ଧ ।’’
ଯୁବ ସମୟ ଜୀବନର ସ୍ବର୍ଣ୍ଣିମ ସମୟ । ଏହି ସମୟକୁ ସଦୂପଯୋଗ କରିବା ନିହାତି ଆବଶ୍ୟକ । ଯୁବବର୍ଗ କେବଳ ପାଠରେ ନୁହେଁ ସବୁ କ୍ଷେତ୍ରରେ ପାରଙ୍ଗମ ହେବା ଦରକାର । ନୂଆ-ଓ ଯୁବବର୍ଗଙ୍କୁ ପ୍ଳାଟଫର୍ମ ଦେବା ସହ ସାମୁହିକ ବିକାଶ ଦିଗରେ ସାହାଯ୍ୟ ହେବ ବୋଲି ସେ ମତ ରଖିଛନ୍ତି ।