ଭବାନୀପାଟଣା: ଦାନ ମାଝୀ । ବେଶ ଚର୍ଚ୍ଚିତ ନାଁଟିଏ । ଦିନେ ମୃତ ପତ୍ନୀଙ୍କୁ କାନ୍ଧରେ ବୋହି ମେଡିକାଲରୁ ଘରକୁ ଫେରିବା ପରେ ସମସ୍ତଙ୍କ ନଜର ପଡିଥିଲା ତାଙ୍କ ଉପରେ। ସାମ୍ନାକୁ ଆସିଥିଲା ସ୍ବାସ୍ଥ୍ୟ ବ୍ୟବସ୍ଥାର ଅସଲ ଚିତ୍ର। ବିଦେଶୀ ଗଣମାଧ୍ୟମକୁ ବି ମିଳିଥିଲା ତାଜା ଖବରଟିଏ । ଆମ ବ୍ୟବସ୍ଥାକୁ ନେଇ ଉଠିଥିଲା ପ୍ରଶ୍ନ । ଆଉ ଦାନ ପାଲଟି ଯାଇଥିଲେ ଦାମୀ ମଣିଷ ।
ସହାୟତାର ହାତ ବଢାଇଥିଲେ ସରକାର। ସୁବିଧା ସୁଯୋଗ ଯୋଗାଇ ଦେଇଥିଲା ପ୍ରଶାସନ। ବିଭିନ୍ନ ମହଲରୁ ମିଳିଥିଲା ସହାନୁଭୂତି । ବଦଳିଥିଲା ଦାନଙ୍କ ଦାରିଦ୍ରର ଚିତ୍ର। ଘର ମିଳିଥିଲା । ଦାନ ଗାଁରେ ପଡିଥିଲା ବଡ ବଡ ଅଧିକାରୀ ଓ ନେତାଙ୍କ ପାଦ। ବଦଳିଥିଲା ଦାନଙ୍କ ଦୟନୀୟ ସ୍ଥିତି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଳାହାଣ୍ଡି ଦାନଙ୍କୁ ମନେ ହେଉଛି, କେବଳ ତାଙ୍କର ହିଁ ସ୍ଥିତି ବଦଳିଛି । ହେଲେ ଗାଁର ଚିତ୍ର ଯଥା ପୂର୍ବଂ ତଥା ପରଂ। ଦାନ କହିଛନ୍ତି, ‘‘କିଛି ପ୍ରତିଶୃତି ପାଳନ ହୋଇନି । ଗାଁରେ ସ୍କୁଲ ନାହିଁ । ରାସ୍ତାଘାଟ ନାହିଁ । ଉକିଆ(ବିଜୁଳି) ନାହିଁ। ନେତାଙ୍କ ପ୍ରତିଶୃତି ପ୍ରତାରଣା ପାଲଟିଛି ।’’
ହେଲେ ଭୋଟ ଦେବେ ଦାନ । ଭୋଟ ଦେବ ମେଲଘର। ସେହି ବଟନ ଦବିବ, ଯେଉଁ ବଟନରେ ତାଙ୍କର ନେତୃତ୍ବ ନେଲାପରି ନେତାଥିବ। ତାଙ୍କ ସୁଖ ଦୁଃଖରେ ଭାଗୀଦାର ହେଲା ପରି ମଣିଷଟେ ଥିବ । କାହା କଥାରେ ପ୍ରଲୋଭିତ ନୁହେଁ, ଅନ୍ତରାତ୍ମାର ବିଚାର ଆଧାରରେ 2019 ଭୋଟ ଦବାଇବେ ଏ ଚର୍ଚ୍ଚିତ ଚେହେରା ଜଣକ।
କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ