ଝାରସୁଗୁଡା: ଓଡିଶା- ଛତିଶଗଡ ସୀମାନ୍ତ ରେଙ୍ଗାଲି ଥାନା ଅଧିନସ୍ଥ ବଡଧରା ଗାଁରେ ଚାଲିଛି ବେଧଡକ ଦେଶୀ ମଦ କାରବାର । ସରକାରଙ୍କ ସବୁ ନିୟମକୁ ଫୁ କରି ବେଆଇନ ଭାବେ ଚାଲିଛି ମଦ କାରବାର । ଏହାକୁ ପ୍ରତିବାଦ କରିବାରୁ ଆକ୍ରମଣର ଶିକାର ହୋଇଛନ୍ତି ଗ୍ରାମବାସୀ । ଯାହାକୁ ବିରୋଧ କରି ଉକ୍ତ ଗ୍ରାମର ଶହ ଶହ ମହିଳା ଧାରଣାରେ ବସିବା ସହ ମଦ ମାଫିଆଙ୍କୁ ଗିରଫ କରିବା ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ସ୍ଥାନୀୟ ସରପଞ୍ଚଙ୍କ ସ୍ବାମୀ ହେମକୁମାର ପ୍ରଧାନଙ୍କ ସହ କେତକ ଗ୍ରାମବାସୀ ଖଜୁରିଆପଡ଼ା ଅଞ୍ଚଳକୁ ଯାଇ ବେଆଇନ ମଦ ରନ୍ଧା କାରବାରକୁ ଦୃଢ଼ ବିରୋଧ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମଦ ରାନ୍ଧିବାରେ ସମ୍ପୃକ୍ତ ଥିବା ବ୍ୟକ୍ତି ସେମାନଙ୍କୁ ଠେଙ୍ଗା ଓ ଲୁହା ରଡରେ ଆକ୍ରମଣ କରିଥିଲେ । ଫଳରେ ସେମାନେ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି ।