ଓଡିଶା

odisha

By

Published : Apr 3, 2022, 8:41 PM IST

ETV Bharat / state

Brajarajnagar By Election: କିଏ ହାତେଇବ ବିଜେଡି ଟିକେଟ୍‌, ବଢୁଛି ଲବି

ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଉପନିର୍ବାଚନରେ ବିଜେଡି କାହାକୁ ଦେବ ଟିକଟ ସେନେଇ ଦ୍ବନ୍ଦ୍ବ ଘନୀଭୂତ ହୋଇଛି । ସ୍ବର୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଏବଂ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କୁ ନେଇ ଚାଲିଛି ମନ୍ଥନ । ଅଧିକ ପଢନ୍ତୁ

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଟିକେଟ ଫାଇଟ
ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଟିକେଟ ଫାଇଟ

ଝାରସୁଗୁଡା: ସରିଲା ପୌର ନିର୍ବାଚନ । ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଘୋଷଣା ହେବ ଉପ-ନିର୍ବାଚନ ତାରିଖ । ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଥିବା ଉପନିର୍ବାଚନରେ କାହାକୁ ମିଳିବ ବିଜୁ ଜନତା ଦଳ ପକ୍ଷରୁ ଟିକେଟ ? ଅଳକା ମହାନ୍ତି ନା ଦୀପାଳି ଦାସ, ଯାହାକୁ ନେଇ ଚର୍ଚ୍ଚା ବଢିପାରେ ଲାଗିଛି । ଗୋଟିଏ ପଟେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ଦିବଙ୍ଗତ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ମନ୍ତ୍ରୀ ନବ ଦାସ ଏବଂ ତାଙ୍କ ଝିଅ ଦିପାଳୀ ଦାସ ସକ୍ରିୟ ଅଛନ୍ତି । ଘନଘନ ବୈଠକ କରୁଥିବା ଦେଖିବାକୁ ମିଳିଛି । ଆଉ ଅନ୍ୟପଟେ ଦିବଙ୍ଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀଙ୍କ ବିସ୍ଫୋରକ ବୟାନ ଏବେ ରାଜନୈତିକ ତାତି ବଢାଇ ଦେଇଛି ।

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଟିକେଟ ଫାଇଟ

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ବିଜେଡି ଟିକେଟ ଉପରେ ରହିଛି କିଶୋର ମହାନ୍ତିଙ୍କ ପରିବାରର ନଜର । ରହିବା ସ୍ୱାଭାବିକ, କାରଣ ଅତୀତରେ ଏଭଳି ସ୍ଥିତିରେ ପରିବାର ଭିତରୁ ହିଁ ଉତ୍ତରାଧିକାରୀ ବାଛିଥିଲେ ନବୀନ । ସେ ବିଜେପୁରରେ ରୀତା ସାହୁଙ୍କ କଥା କୁହାଯାଉ, ଅବା ପିପିଲିରେ ରୁଦ୍ର ମହାରଥୀ କିମ୍ବା ତିର୍ତ୍ତୋଲ ପାଇଁ ବିଜୟ ଶଙ୍କର ଦାଶ । ସବୁବେଳେ ଦିବଙ୍ଗତ ନେତାଙ୍କ ପରିବାରକୁ ହିଁ ଟିକେଟ ଦେଇଥିଲେ ବିଜେଡି ସୁପ୍ରିମୋ । ସେହି କ୍ରମରେ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତି ଗଣମାଧ୍ୟମ ସମ୍ମୁଖରେ ନିଜର ବୟାନ ଦେଇଛନ୍ତି କି ଦଳର ସୁପ୍ରିମୋ ଟିକେଟ ଦେଲେ ନିର୍ବାଚନ ଲଢ଼ିବା ସହ ସ୍ୱାମୀଙ୍କ ରହିଯାଇଥିବା ଅଧୁରା ସ୍ବପ୍ନକୁ ପୂରଣ କରିବେ ।

ଅନ୍ୟପଟେ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଅଛନ୍ତି । ନବ ଦାସ ଏବଂ ଦିପାଳୀ ଦାସ ଘନଘନ ବୈଠକ କରୁଛନ୍ତି । ଅନ୍ତର୍ଜାତୀୟ ମହିଳା ଦିବସରେ ଲଖନପୁର ଠାରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା ଏବଂ ଦିପାଳୀ ଦାସ ଏହାର ମୁଖ୍ୟ ଅତିଥି ଥିଲେ । ଏହି ଆସନ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ଦିପାଳୀ ଦାସଙ୍କ ନାଁକୁ ପ୍ରସ୍ତାବ ଆକାରରେ ସମସ୍ତଙ୍କ ସାମ୍ନାକୁ ଆଣିଥିଲେ ଲଖନପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ । କହିଥିଲେ, ଦିପାଳୀ ହିଁ ଏହି ଆସନ ପାଇଁ ଯୋଗ୍ୟ । କିଶୋର ମହାନ୍ତିଙ୍କ ପତ୍ନୀ ବନାମ ନବ ଦାସଙ୍କ ଝିଅ । କାହାକୁ ଟିକେଟ ଦେବ ବିଜେଡି ? ଝାରସୁଗୁଡା ଜିଲ୍ଲା ରାଜନୀତିକୁ ନିୟନ୍ତ୍ରଣ କରୁଥିବା ନବ ଦାସ କିନ୍ତୁ, ଏହି ମାମଲାରେ ମାପିଚୁପି ବୟାନ ଦେଇଛନ୍ତି, ଆଉ ସବୁକିଛି ଛାଡି ଦେଇଛନ୍ତି ଦଳ ସୁପ୍ରିମୋଙ୍କ ଉପରେ ।

ବିଜେଡି ରାଜନୀତିରେ ଗୋଟିଏ ପରିବାରରୁ ଦୁଇଟି ଟିକେଟ ଦିଆଯିବା ନଜିର୍ ବହୁତ୍ କମ୍ । ଆଉ ପରିବର୍ତ୍ତିତ ସ୍ଥିତିରେ ବିଜେଡିର ଆଭିମୁଖ୍ୟ କଣ ରହିବ, ତାଉପରେ ନଜର । କାରଣ, କିଶୋର ମହାନ୍ତିଙ୍କ ଅଧୁରା ସ୍ୱପ୍ନ ପୁରା କରିବାକୁ ଲକ୍ଷ୍ୟ ରଖିଥିବା ଦର୍ଶାଇ, ସୋସିଆଲ ମିଡିଆରେ ଅଳକାଙ୍କ ପାଇଁ ଅନେକ ପୋଷ୍ଟ ଘୁରି ବୁଲିଲାଣି । କିଶୋର ମହାନ୍ତିଙ୍କ ସମର୍ଥକ ମାନେ ସୋସିଆଲ ମିଡ଼ିଆରେ ଅଳକା ମହାନ୍ତିଙ୍କୁ ଟିକେଟ ଦିଆଯାଉ ବୋଲି ଦାବି କରୁଥିବା ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି । ତେବେ ଯେପର୍ଯ୍ୟନ୍ତ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଟିକେଟ କାହାକୁ ମିଳିବ ଘୋଷଣା ନହେଇଛି ବ୍ରଜରାଜନଗରବାସୀଙ୍କ ପାଇଁ ଦିନକୁ ଦିନ ସସପେନ୍ସ ବଢ଼ିବାରେ ଲାଗିଛି । ଦଳର ସୁପ୍ରିମୋ କାହାକୁ ଦେବେ ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ଟିକେଟ ? ଅଳକା ନା ଦିପାଳୀ, ତାହା ଉପରେ ରହିଛି ସମସ୍ତଙ୍କର ନଜର ।

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ABOUT THE AUTHOR

...view details